ବିଶ୍ୱକର୍ମା ଓ ଭୋଇ ସେବକ ମିଶି ରଥରେ ପ୍ରଭା ସ୍ଥାପନ କରିଛନ୍ତି

ପୁରୀ: ଆଉ ମାତ୍ର ଦୁଇଦିନ ପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା । ରଥ ନିର୍ମାଣ କାମ ସରିବା ଉପରେ । ଶୁକ୍ରବାର ବିଶ୍ୱକର୍ମା ଓ ଭୋଇ ସେବକ ମିଶି ରଥରେ ପ୍ରଭା ସ୍ଥାପନ କରିଛନ୍ତି । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ତିନି ରଥରେ କନାମଣ୍ଡଣି କାମ ଚାଲିଛି । ଦର୍ଜୀ ସେବକଙ୍କ ଦ୍ୱାରା ହୋଇଥିବା ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଉଛନ୍ତି । ଆଜି ରଥରେ ଲାଗିବ ପିତ୍ତଳ ସାଜ।

ରଥରେ ଠାକୁରମାନଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ କରାଯାଉଛି । ଚିତ୍ରକର ସେବକମାନେ ସେଥିରେ ରଙ୍ଗ ଦେଇ ପ୍ରସ୍ତୁତ କରିଥିଲେ । ପ୍ରଭାକାମ ସରିଯିବା ପରେ ଭୋଇ ସେବକମାନେ ଏସବୁକୁ ବୋହି ଆଣି ରଥ ଉପରେ ସ୍ଥାପନ କରିଛନ୍ତି । ଆଜି ପ୍ରଭା କଣ୍ଟା ପଡ଼ିଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ତିନି ରଥର ବତା କନା ଜୋଡ଼ଣୀ କାର୍ଯ୍ୟ ପରେ ସାରଥିଙ୍କ ପୋଷାକ ତିଆରି ସରିଛି । ବିଜେ ସମୟରେ କଳା ଛତି, ଧଳା ଛତି ଓ ଓଲାର କନା ପଡ଼ିବା କାର୍ଯ୍ୟ ସାରିଛନ୍ତି ଦର୍ଜୀ ସେବକ । ଶ୍ରୀବିଗ୍ରହଙ୍କ ୨ଟି ଶ୍ରୀପୟର ତୁଳି ଓ ୪ ଗୋଟି ବିଜେ ତୂଳୀ ତିଆରି ହୋଇଛି ।

ତିନି ରଥର ବ୍ରେକ୍‌ରେ ରବର ଫିଟିଂ କରାଯାଇଛି । ଶେଷରେ ପଟା ପଡ଼ି ଚକା ରଖାଯିବ । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ । ଚକା ବସିଲେ ରଥ ନିର୍ମାଣର କାର୍ଯ୍ୟ ଶେଷ କହିଛନ୍ତି ନିର୍ମାଣକାରୀ । ସିଂହାସନ ଉପରେ କନକମୁଣ୍ଡି କାମ ଚାଲିଛି । ଶନିବାର କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ । ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥରେ କନାମଣ୍ଡଣି କାମ ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଏସମସ୍ତ କାମ ଆସନ୍ତାକାଲି ସୁଦ୍ଧା ସରିଯିବ ।

Spread the love