୨୭ ବର୍ଷର ବୈବାହିକ ସମ୍ପର୍କ ପରେ ଅଲଗା ହେବେ ବିଲ ଗେଟ୍‌ସ-ମେଲିନ୍ଦା

ନ୍ୟୁୟର୍କ : ଅଲଗା ହେବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା। ଉଭୟ ବିବାହର ୨୭ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉଭୟ ମିଳିତ ଭାବେ ବୟାନ ଜାରି କରି ସୂଚନା ଦେଇଛନ୍ତି ।

ଉଭୟ ମିଳିତ ଭାବେ ବୟାନ ଜାରି କରି କହିଛନ୍ତି ଯେ, ବହୁତ ଆଲୋଚନା ଓ ସମ୍ପର୍କକୁ ନେଇ ଏକାଠି ରହିବା ପରେ ଏବେ ବିବାହ ବିଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷରେ ସେମାନେ ୩ଜଣ ସନ୍ତାନଙ୍କୁ ବଡ କରିଛନ୍ତି । ସେମାନେ ଏକ ଫାଉଣ୍ଡେସନ୍ ମଧ୍ୟ ଗଠନ କରିଛନ୍ତି ଯାହା ସାରା ବିଶ୍ୱର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କାମ କରିଥାଏ । ଆମେ ଫାଉଣ୍ଡେସନ ପାଇଁ ଆଗାମୀ ଦିନରେ ମଧ୍ୟ ଏକ ହୋଇ କାମ କରିବୁ । ମାତ୍ର ଆମକୁ ଲାଗୁଛି ଯେ, ଆଗାମୀ ଦିନରେ ଆମେ ପତି-ପତ୍ନୀ ଭାବେ ରହିପାରିବୁ ନାହିଁ । ଏଥି ପାଇଁ ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ତେଣୁ ଜନତା ସେମାନଙ୍କ ପରିବାରକୁ କିଛି ସ୍ପେସ୍ ଓ ପ୍ରାଇଭେସୀ ଦିଅନ୍ତୁ ବୋଲି ଉଭୟ ନିବେଦନ କରିଛନ୍ତି । ସୂଚନା ଯେ. ବିଲ୍ ଗେଟସ୍ ଓ ମେଲିଣ୍ଡା ୧୯୮୭ରେ ନ୍ୟୁୟର୍କରେ ପ୍ରଥମେ ପରସ୍ପରକୁ ଭେଟିଥିଲେ । ଏହାପରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା । କିଛି ବର୍ଷ ପରେ ସେମାନେ ୧୯୯୩ରେ ନିର୍ବନ୍ଧ କରିଥିଲେ । ଏହାପରେ ୧୯୯୪ରେ ବିବାହ ସମ୍ପନ୍ନ ହୋଇଥିଲା । ୨୭ ବର୍ଷର ଦୀର୍ଘ ଜୀବନ ଏକ ହୋଇ ଚାଲିବା ପରେ ପୁଣି ଅଲଗା ହେବା ଖବର ସେମାନଙ୍କର ପ୍ରଶଂସକଙ୍କୁ ବ୍ୟଥିତ କରୁଛି । ବିଶ୍ୱର ଏହି ଦମ୍ପତ୍ତି ନିଜର ସମାଜ କାର୍ଯ୍ୟ ପାଇଁ ଅନ୍ୟ ଏକ ପରିଚୟ ପାଇଛନ୍ତି ।

Spread the love