ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ପୁରୁଣା କାର୍ଡ ହଟିବ । ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ଆସିବ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ପୁରୁଣା କାର୍ଡ ହଟିବ । ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ଆସିବ । ଓକାକ୍‌ ଏହି କାର୍ଡ ପ୍ରସ୍ତୁତ କରୁଛି । ସ୍ୱାସ୍ଥ୍ୟ ବିଭାଗ ଡିଜାଇନ୍‌ ଦେବା ପରେ କାର୍ଡ ପ୍ରସ୍ତୁତ ହୋଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ପ୍ୟାରେଡ୍‌ ଗ୍ରାଉଣ୍ଡରୁ ଏ ନେଇ ଘୋଷଣା କରିପାରନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାସନ୍‌ କାର୍ଡ ବା ଖାଦ୍ୟ ସୁରକ୍ଷା କାର୍ଡ ଥିବା ସମସ୍ତ ହିତାଧିକାରୀଙ୍କୁ ଏହି କାର୍ଡ ମିଳିବ । ପ୍ରତି ପରିବାରକୁ ଦୁଇଟି ଲେଖାଁ କାର୍ଡ ଦିଆଯିବ । କାର୍ଡରେ ନବୀନଙ୍କ ଫଟୋ ରହିଛି । କାର୍ଡ ସହିତ କେଉଁ କେଉଁ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇପାରିବେ ସେ ସମ୍ପର୍କିତ ସୂଚନା ପାଇଁ ଏକ ପୁସ୍ତକ ମଧ୍ୟ ଦିଆଯିବ । ରାଜ୍ୟରେ ଏବେ ୯୬ ଲକ୍ଷ ୬୦ ହଜାର ପରିବାର ପାଖରେ ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଅନୁସାରେ ରାସନ୍‌ କାର୍ଡ ରହିଛି। ପରିବାର ଲୋକ ବା ହିତାଧିକାରୀ ସଂଖ୍ୟାକୁ ଧରିଲେ ଏହି ସଂଖ୍ୟା ୨ କୋଟି ୨୪ ଲକ୍ଷ ପାଖାପାଖିକୁ ବଢ଼ିଯାଇଛି । ଏହାବାଦ୍‌ ରାଜ୍ୟର ନିଜସ୍ୱ ଖାଦ୍ୟନୀତି ଅନୁସାରେ ୧୪ ଲକ୍ଷ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

ରାଜ୍ୟର ସାଢ଼େ ୪ କୋଟି ଜନସଂଖ୍ୟାରୁ ଅଢ଼େଇ କୋଟି ଲୋକଙ୍କୁ ନୂଆ କାର୍ଡ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯୋଜନା ହୋଇଛି ।ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଖାପାଖି ୭୫ ଲକ୍ଷ କାର୍ଡ ବଣ୍ଟନ କରାଯାଇଛି । ଏଥିରେ ଆଉ ୨୦ ଲକ୍ଷ ନୂଆ ପରିବାରକୁ ସାମିଲ କରାଯିବ। ନୂଆ କାର୍ଡ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଜନାରେ ସାମିଲ ଥିବା ଘରୋଇ ହସ୍ପିଟାଲକୁ ନେଇ ଏକାଧିକ ବୈଠକ ମଧ୍ୟ ହୋଇ ସାରିଛି । ଅନେକ ବାଦ ବିବାଦ ପରେ ମଧ୍ୟ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରି ନାହିଁ ରାଜ୍ୟ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସ୍ୱାସ୍ଥ୍ୟ ବିଭାଗର ସବୁଠୁ ମହତ୍ୱାକାଂକ୍ଷୀ ଯୋଜନା ଭାବେ ଚିତ୍ରଣ କରିବା ସହ ଅଧିକ ଲୋକାଭିମୁଖୀ କରାଯାଉଛି ।

ନୂଆ କାର୍ଡକୁ ପର୍ଯ୍ୟାୟ କ୍ରମେ ପଞ୍ଚାୟତ ଅଫିସ୍‌ ଓ ପୌର ପରିଷଦ ଅଫିସରେ ବଣ୍ଟନ କରାଯିବ। ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛନ୍ତି । ସେମାନଙ୍କ ରାସନ କାର୍ଡ ନାହିଁ । ଏଭଳି କ୍ଷେତ୍ରରେ ଏହି ହିତାଧିକାରୀଙ୍କୁ ବାଦ୍‌ ଦିଆଯିବ । ନା ଅତିରିକ୍ତ ଭାବେ ସାମିଲ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ସରକାର ।

Spread the love