ବିଜୟ ବଲ୍ଲଭ ହସପିଟାଲ ଆଇସିୟୁରେ ନିଆଁ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ

ମୁମ୍ବାଇ : ମହାରାଷ୍ଟ୍ରର ବିରାର ସ୍ଥିତ ବିଜୟ ବଲ୍ଲଭ ହସପିଟାଲ ଆଇସିୟୁ ୱାର୍ଡରେ ଘଟିଛି ବଡଧରଣର ଅଗ୍ନିକାଣ୍ଡ। ଏଥିରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଆଇସିୟୁରେ ପ୍ରାୟ ୧୭ ଜଣ ରୋଗୀ ଥିଲେ ବୋଲି ଜଣା ପଡିଛି । ବର୍ତ୍ତମାନ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ତେବେ ଯେଉଁ ୧୨ ରୋଗୀ ପ୍ରାଣ ହରାଇଥିବା କୁହାଯାଉଛି ସେମାନେ କରୋନା ସଂକ୍ରମିତ ଥିବା ଜଣା ପଡିଛି । ବିଜୟ ବଲ୍ଲଭ ହସ୍ପିଟାଲରୁ ରୋଗୀଙ୍କୁ ନିକଟସ୍ଥ ଏହ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା ।

ଆଇସିୟୁରେ ଥିବା ଏସିରେ ସର୍ଟ ସର୍କିଟ୍ ହେବା କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଅଘଟଣ ଭୋର୍ ୩ଟା ୧୫ ମିନିଟରେ ଘଟିଥିଲା । ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ପ୍ରାଥମିକ ସୂତ୍ରରୁ ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟିବା ପରେ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା। ସେଠାରୁ ଗୁରୁତର ୨୧ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତାଦେଶ ଦେଇଛନ୍ତି।

Spread the love