ଭୀମଟାଙ୍ଗୀସ୍ଥିତ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ କମିଶନରେଟ୍‌ ପୁଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି

ଭୁବନେଶ୍ୱର: ଭୀମଟାଙ୍ଗୀସ୍ଥିତ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ କମିଶନରେଟ୍‌ ପୁଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅପରାଧସ୍ଥଳରୁ ଜବତ ୨ ମୋବାଇଲ୍‌ ଫୋନ୍‌ର ହ୍ୱାଟସ୍‌ଅପ୍‌ ଚାଟ୍‌ରୁ ହତ୍ୟା ରହସ୍ୟର ଖିଅ ମିଳିଛି । ଚାଟିଂରେ ତାପସ ନାମକ ଯୁବକଙ୍କ ନାମ ବାରମ୍ବାର ବ୍ୟବହାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏଣୁ ପୁଲିସ ସମ୍ପୃକ୍ତ ଯୁବକକୁ ତଦନ୍ତ ପରିସରଭୁକ୍ତ କରି ଜେରା ପାଇଁ ଯୋଜନା କରିଛି ।

ହତ୍ୟା ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ ଓରଫ୍‌ ଜଗନ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍‌ ରିଙ୍କିଙ୍କ ମୋବାଇଲ୍‌ ଫୋନ୍‌ର ହ୍ୱାଟସ୍‌ଆପ୍‌ ଚାଟ୍‌କୁ ପୁଲିସ ଯାଞ୍ଚ କରିଥିଲା । ଏଥିରୁ ପୁଲିସକୁ ତିକ୍ତତାର କାରଣ ଜଣାପଡି଼ଛି । ଲକ୍‌ଡାଉନ୍‌ ଯୋଗୁଁ ଜଗନଙ୍କ ଚାକିରି ଯିବାରୁ ସେ ବେଙ୍ଗାଲୁରୁରୁ ଫେରିଥିଲେ । ପରେ ଯାଜପୁରରେ ‘ସେଭ୍‌ ସପ୍‌’ ନାମକ ନେଟୱର୍କିଂ ସଂସ୍ଥାରେ ଚାକିରି କଲେ । କିନ୍ତୁ ଇଚ୍ଛା ମୁତାବକ ରୋଜଗାର ନ ହେବାରୁ ସେ ମାନସିକସ୍ତରରେ ଭାଙ୍ଗି ଯାଇଥିଲେ । ଏତିକିବେଳେ ଫେସ୍‌ବୁକ୍‌ରେ ଏକ ଦୁଃଖଭରା ପୋଷ୍ଟ କରିଥିଲେ । ଯାହାକୁ ଦେଖି ରିଙ୍କି ତାଙ୍କ ସହ ହ୍ୱାଟସ୍‌ଅପ୍‌ରେ ଯୋଗାଯୋଗ କଲେ ।
କିନ୍ତୁ ତାପସ ନାମକ ଯୁବକଙ୍କ କଥା ଜାଣିବା ପରେ ଜଗନ ପ୍ରତିଶୋଧର ନିଆଁରେ୍‌ ଜଳିବାକୁ ଲାଗିଲା । ଏମିତିକି ସେ ମାସ ଭିତରେ ୨ ଥର ଭୀମଟାଙ୍ଗୀସ୍ଥିତ ରିଙ୍କିଙ୍କ ଘରକୁ ଆସିଥିଲା । ରିଙ୍କି ନେହୁରା ହେବାରୁ ସେ ଫେରିଯାଇଥିଲା । ଏସବୁ ତଥ୍ୟ ଆଧାରରେ ପୁଲିସ ତଦନ୍ତ ଆଗେଇଛି ।ଜଗନ ଏବେ ହସ୍ପିଟାଲ ଆଇସିୟୁ ବେଡ୍‌ରେ ଛଟପଟ ହେଉଛି । ନିଜ କର୍ମକୁ ମନେ ପକାଇ ପଶ୍ଚାତାପ କରି ଆଖିରୁ ଲୁହ ଝରାଉଛି । ପ୍ରେମିକାଙ୍କ ଅଭୁଲା ସ୍ମୃତିକୁ ହସ୍ପିଟାଲ ବେଡ୍‌ରେ ଝୁରୁଛି । ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟ ଭଲ ନଥିବାରୁ ପୁଲିସ ଏଯାଏଁ ତାକୁ ଜେରା କରି ପାରିନି ।

ଜଗନର ଜଣେ କଲେଜ ସାଙ୍ଗ କହିଛନ୍ତି, ତାପସ ନାମକ ଜଣେ ଛାତ୍ର ଯାଜପୁର ବ୍ରହ୍ମବରଦା ମହାବିଦ୍ୟାଳୟରେ ପଢ଼ୁଥିଲା । ତାଙ୍କ ଘର ବନ୍ଧଡିହରେ । ରିଙ୍କିଙ୍କ ସହ ତା’ର ଗଭୀର ବନ୍ଧୁତା ଥିଲା । ଉଭୟେ ଏକାଠି ବୁଲାବୁଲି କରୁଥିଲେ । ଯେତେବେଳେ ଜଗନ ସହ ପ୍ରେମ ସମ୍ପର୍କ ଆରମ୍ଭ ହେଲା, ତା’ ପରେ ରିଙ୍କି ତାପସ ସହ ମିଳାମିଶା ବନ୍ଦ କରିଦେଇଥିଲେ । କିନ୍ତୁ ବିବାହ ପରେ ପୁଣି ତାପସ ସହ ସମ୍ପର୍କ ବଢ଼ିଥିଲା କି ନାହିଁ, ଏନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

Spread the love