ଭୁବନେଶ୍ୱରରେ ଖୋଲିବ କ୍ୟାନ୍ସର ହସ୍ପିଟାଲ ଓ ପାଲିଏଟିଭ କେୟାର ସେଂଟର

ଭୁୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ । ସୋମବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚି ଓ ସସ୍ମିତା ବାଗଚି ୨୧୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ । ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ । ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ । ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ।
ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ହସ୍ପିସ୍ ଆଧାରିତ ପାଲିଏଟିଭ୍ କେୟାର ବ୍ୟତୀତ ଏହା ଘରୋଇ ପାଲିଏଟିଭ୍ କେୟାର ମଧ୍ୟ ଯୋଗାଇବ । ଏଠାରେ ସ୍ଥାନୀୟ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ଓ ସେବାପ୍ରଦାନକାରୀଙ୍କୁ ତାଲିମ ଦେବ । ସୁବ୍ରତ ବାଗଚି ଓ ସସ୍ମିତା ବାଗଚି ଏହି ପାଲିଏଟିଭ୍ କେୟାର ଅନୁଷ୍ଠାନ ପାଇଁ ୧୩୦ କୋଟି ଟଙ୍କାର ସାୟତା ଦେବେ । ଏହାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଇନଫୋଭ୍ୟାଲି ନିକଟରେ ୨୦ ଏକର ଜମି ମାଗଣାରେ ଯୋଗାଇ ଦେବେ । ପ୍ରଥମେ ୧୦୦ ଶଯ୍ୟା ସହ ଆରମ୍ଭ ହେବାକୁ ଥିବା ଏହି ପାଲିଏଟିଭ୍ କେୟାର ସେଂଟର ପରେ ସମ୍ପ୍ରସାରିତ ହେବ ଏବଂ ସମସ୍ତ ରୋଗୀଙ୍କୁ ଶତ ପ୍ରତିଶତ ମାଗଣା ଚିକିତ୍ସା ପ୍ରଦାନ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନଅଟି ପ୍ରମୁଖ ନିଷ୍ପତି ନିଆଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହା ମଧ୍ୟରେ ଭୁବନେଶ୍ୱରରେ ଚାଗଚୀ – ଶଙ୍କର କ୍ୟାନ୍ସର କେୟାର ସେଂଟର ଓ ବାଗଚୀ – କରୁଣାଶ୍ରୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ,ଏସଟି ଏବଂ ଏସସି ଛାତ୍ରଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅନ୍ୱେଶା ଯୋଜନାକୁ ୫ ବର୍ଷ ଯାଏଁ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅର୍ନ୍ତଭୁକ୍ତ ।

Spread the love