ଆଇପିଏଲ-୨୦୨୧ : ହାଇଦ୍ରାବାଦକୁ ୬ ରନରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ବୁଧବାର ୬ଷ୍ଠ ତମ ମ୍ୟାଚ ଚେନ୍ନାଇ ଏମ.ଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯାଇଛି । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି । ବ୍ୟାଟସମ୍ୟାନଙ୍କ ଦ୍ଵାରା ନିରାଶଜନକ ପ୍ରଦର୍ଶନ ସତ୍ତ୍ଵେ ବି ବୋଲରଙ୍କ ଦମରେ ଆରସିବି କ୍ରମାଗତ ଦ୍ଵିତୀୟ ହାସଲ କରିଛି। ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି। ସେହିପରି ବ୍ୟାଟସମ୍ୟାନଙ୍କ ବିଫଳତା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି।

ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଦେବୀଦତ୍ତ ପଲିକ୍କଲ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ପଲିକ୍କଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସାହାବାଜ ଅହମ୍ମଦ ମଧ୍ୟ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ ବିରାଟ ଗ୍ଲେନ ମାକ୍ସଓ୍ବେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କୋହଲି ୩୩ ରନ କରିଥିବାବେଳେ ମାକ୍ସଓ୍ବେଲ ସର୍ବାଧିକ ୫୯ ରନ କରିଥିଲେ । ତେବେ ମାକ୍ସଓ୍ବେଲ ଆଉଟ ହେବା ପରେ ଆସିଥିବା ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗାଦାନ ଦେଇପାରିନଥିଲେ । ବାଙ୍ଗାଲୋର ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।

୧୫୦ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦକୁ ୧୩ ରନ ସ୍କୋରରେ ଋଦ୍ଧିମାନ ଶାହା(୧)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ମନିଷ ପାଣ୍ଡେ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୮୩ ରନ ଯୋଡି ଦଳର ସ୍ଥିତି ମଜବୁତ କରିବା ସହିତ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ସେ ୩୭ ବଲ୍‌ରୁ ୭ ଚୌକା ଓ ୧ ଛକା ୫୪ ରନ କରିଥିଲେ। ତାଙ୍କ ଆଉଟ୍ ହେବା ମାତ୍ରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। କେବଳ ମନିଷ ପାଣ୍ଡେ ୩୮ ରନ କରିବାକୁ ସକ୍ଷମ ହୋଇଥିଲେ। ୧୭ ତମ ଓଭର ବୋଲିଂ କରିଥେିବା ଶାହାବାଜ ଅହମ୍ମଦ ହାଇଦ୍ରାବାଦର ୩ ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ ମୋଡିଥିଲେ। ଶେଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଆଡକୁ ରଶିଦ ଖାନ ୯ ବଲ୍‌ରୁ ୧୭ ରନ କରିଥିଲେ। ବାଙ୍ଗାଲୋର ପକ୍ଷରୁ ଶାହାବାଜ ଅହମ୍ମଦ ୨ ଓଭରରେ ୭ ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Spread the love