ଆଜି ଫେରିଯିବ ବାଘୁଣୀ ‘ସୁନ୍ଦରୀ’!

ଅନୁଗୁଳ : ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରି ଯିବାର ସମୟ ଶେଷରେ ଆସି ପହଞ୍ଚିଛି। ବାଘୁଣୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ରବିବାର ଏଠାରେ ପହଞ୍ଚିଥିଲାବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଠିକଠାକ୍ ରହିଲେ ସୋମବାର ବାଘୁଣୀ ଏଠାରୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ବିଦାୟୀ ଯାତ୍ରା ଆରମ୍ଭ କରିବ।

ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁନ୍ଦରୀ । ସାତକୋଶିଆ ବନଖଣ୍ଡର ରାଇଗୁଡାରେ ଥିବା ଏକ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ସେଠାରୁ ଗୋଟିଏ ଟିମ୍ ରବିବାର ଓଡିଶା ଆସି ପହଞ୍ଚିଛନ୍ତି । ଏହି ଟିମ୍‌ ପହଞ୍ଚିବା ପରେ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିମ୍ ସିଧା ଯାଇ ପହଞ୍ଚିଥିଲେ ସାତକୋଶିଆର କୋର ଅଂଚଳରେ ଥିବା ରାଇଗୁଡା ଜଙ୍ଗଲରେ। ଏହି ଟିମ୍‌ରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଓ ଡାକ୍ତର ରହିଥିଲାବେଳେ ସେମାନେ ଆଜି ଜଙ୍ଗଲରେ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରିଥିଲେ। ତା’ ସ୍ବାସ୍ଥ୍ୟବସ୍ଥା ନେଇ ମଧ୍ୟ ଓଡ଼ିଶା ବନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସୁନ୍ଦରୀକୁ ଧରିବା ପ୍ରକ୍ରିୟା ନେଇ ମଧ୍ୟ କଥାବାର୍ତ୍ତା ହୋଇଛି। ଯନ୍ତାରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ନିଷ୍ପତ୍ତି ଏକପ୍ରକାର ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ବାଘୁଣୀକୁ ଯନ୍ତାରେ ଧରିବା ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବା। ବାଘକୁ ନେବା ପାଇଁ ସ୍ବତନ୍ତ୍ର ଯାନ ମଧ୍ୟ ଆସି ରାଇଗୁଡାରେ ପହଞ୍ଚି ସାରିଛି। କୌଣସି ବଡ଼ ଧରଣର ଅସୁବିଧା ନ ହେଲେ ସୋମବାର ଅପରାହ୍ଣ ସୁଦ୍ଧା ଏହି ଲେଉଟାଣି ପ୍ରକ୍ରିୟା ଶେଷହେବ। ଏଥିନେଇ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, କାହ୍ନା ଅଭୟାରଣ୍ୟର ଟିମ୍ ଆଜି ଏଠାରେ ପହଞ୍ଚିବା ପରେ ରାଇଗୁଡା ଯାଇଛନ୍ତି। ସେମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ। ସୋମବାର କିମ୍ବା ଦୁଇଦିନ ଭିତରେ ସେମାନେ ସୁନ୍ଦରୀକୁ ଫେରାଇନେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସେହିପରି ସୁନ୍ଦରୀର ଲେଉଟାଣି ସମୟରେ ସାତକୋଶିଆରୁ ଏକ ଟିମ୍ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଯିବ। ସେମାନେ ମଧ୍ୟପ୍ରଦେଶ ଟିମ୍ ସହ ମିଶି ବାଘୁଣୀ ସୁନ୍ଦରୀକୁ ଫେରାଇ ନେବେ। ଏଥିରେ ୫ରୁ ଅଧିକ ଅଧିକାରୀ ଓ କର୍ମଚାରୀ ରହିବେ ବୋଲି ସୂଚନା ମିଳିଛି। ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଏହି ସୂଚନା ଦେବା ସହ କହିଛନ୍ତି ଯେ, ବାଘୁଣୀକୁ ସେଠାରେ ନେଇ ଛାଡିବା ଆମର ଦାୟିତ୍ବ। ଏଥିପାଇଁ ଏଠାରୁ ଏକ ଟିମ୍ ବାଘୁଣୀ ସହ ଯିବ। ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ସିଧା କାହ୍ନା ଅଭୟାରଣ୍ୟରେ ଥିବା ଘୋରେଲାକୁ ଯିବ। ଏଠାରେ ବାଘୁଣୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବା ନେଇ ଉଦ୍ୟମ କରାଯିବ। ଏହା ପରେ ଯାଇ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବାର ଯୋଜନା ରହିଛି।

ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାହ୍ନା ଅଭାୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ୨୦୧୮ ଜୁନ୍‌ରେ ସାତକୋଶିଆ ଅଭାୟରଣ୍ୟକୁ ଅଣାଯାଇଥିଲା । ମାତ୍ର ବାଘୁଣୀ କୋର ଏରିଆକୁ ନଯାଇ ପାର୍ଶ୍ୱବର୍ତୀ ଅଂଚଳରେ ଘୂରି ବୁଲୁଥିଲା । ସୁନ୍ଦରୀ ମଣିଷ ଓ ଗୋରୁଙ୍କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ଉଠିଥିଲା । ପରେ ସୁନ୍ଦରୀକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ । ମାସାଧିକ କାଳ ଚେଷ୍ଟା ପରେ ସୁନ୍ଦରୀ ଧରା ପଡ଼ିଥିଲା । ଏହାପରେ ୨୦୧୮ ନଭେମ୍ବର ମାସରୁ ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି।

Spread the love