୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ

  • ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

  • କୋଭିଡ ମୃତକଙ୍କ ବିଧବା ଓ ବାପା ମାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ପେନ୍‌ସନ୍ ,ପିଲାଙ୍କୁ ମାଗଣା ଶିକ୍ଷା

  • ଗାଁ ରେ ଲକ୍‌ଡାଉନ ଓ ଟିଏମସି ସଂପର୍କରେ ନିଷ୍ପତି ନେଇପାରିବେ ସରପଂଚ

  • ଅକ୍‌ସିଜେନ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ

  • ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସ୍କ କିଣି ବାଂଟିବେ

ଭୁବନେଶ୍ୱର : ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ୍ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କୋଭିଡ୍ ପରିଚାଳନା ନେଇ ସୋମବାର ଅପରାହ୍ନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଥିସହ କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଗୃହ ସଂଗରୋଧ ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍ ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ ଟିଏମସି ଖୋଲିବା ବିଷୟ ନେଇ ସରପଂଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଅପରପକ୍ଷରେ ରାଜ୍ୟରେ ଅକସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍‌ସଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କରୋନା ସମ୍ପର୍କିତ ସଚେତନତାର ବାର୍ତା ଲୋକଙ୍କୁ ପାଖରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଂଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ- ଏଚଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର,ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସେଜେନ ପ୍ଲାଂଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍‌ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା । ଏହି ଲଢେଇରେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ୱ ଥିବାରୁ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ । କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବର୍ତମାନ କୋଭିଡର ଦ୍ୱିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ କେତେ ଲହର ଓ କେତେ ଭାରିଆଂଟର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ । ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ । କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ । କାରଣ ଏହାଦ୍ୱାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି । ଏହା ଏକ ଲମ୍ବା ଲଢେଇ । ତେଣୁ ଲୋକଙ୍କୁ ସଚେତନତା ଜରିଆରେ ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।ପ୍ରତ୍ୟେକ ଜୀବନ ମୂଲ୍ୟବାନ \’ । ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ମାନଙ୍କୁ କୋଭିଡ଼ ସକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ । ବୈଠକରେ ବିରୋଧୀ ଦଳ ଉପନେତା , ମୁଖ୍ୟ ସଚେତକ , କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love