ଧୋନୀଙ୍କ ଟି-୨୦ ବିଜୟ ରେକର୍ଡ ସହ ସମାନ ହେଲେ ଅସଗର

ଟି-୨୦ ମ୍ୟାଚରେ ସର୍ବାଧିକ ବିଜୟ ହାସଲ ମାମଲାରେ ଧୋନୀଙ୍କ ବିଶ୍ୱରେକର୍ଡ ସହ ବରାବର ହେଲେ ଅସଗର
ଆବୁଧାବି : ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ଅସଗର ଅଫଗାନ ଅଧିନାୟକ ଭାବେ ସେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସର୍ବାଧିକ ବିଜୟ ହାସଲ କରିବା ମାମଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ବିଶ୍ୱ ରେକର୍ଡ ସହ ବରାବର କରିଛନ୍ତି । ୩୩ ବର୍ଷୀୟ ଅସଗର ଏବେସୁଦ୍ଧା ୫୧ଟି ଟି-୨୦ରେ ନେତୃତ୍ୱ ନେଇଛନ୍ତି । ଏହାମଧ୍ୟରୁ ୪୧ଟି ମ୍ୟାଚ୍ ଜିତିଛି ଦଳ । ଦଳ ମାତ୍ର ୯ଟି ମ୍ୟାଚ୍ ହାରିଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି । ତାଙ୍କର ବିଜୟୀ ପ୍ରତିଶତ ୮୧.୩୭% ଅଟେ । ସେହିପରି ଧୋନୀଙ୍କ ନେତୃତ୍ୱରେ ଭାରତ ୪୧ଟି ମ୍ୟାଚ୍ ଜିତିଛି । ସେ ୭୨ଟି ମୁକାବିଲାରେ ଦଳର ନେତୃତ୍ୱ ନେଇଥିଲେ । ଏହାସହ ୨୮ଟି ମୁକାବିଲାରେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ଧୋନୀଙ୍କ ମ୍ୟାଚ୍ ବିଜୟ ପ୍ରତିଶତ ୫୯. ୨୮% ଅଟେ । ଏହାବ୍ୟତୀତ ଇଆନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୫୮ଟି ମୁକାବିଲାରୁ ୩୩ଟିରେ ବିଜୟ ଲାଭ କରିଛି। ଏହାପରେ ପାକିସ୍ତାନର ପୂର୍ବଚନ କ୍ରିକେଟର ସର୍ଫରାଜ ଅହମ୍ମଦ ରହିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୩୭ରୁ ୨୯ଟି ମ୍ୟାଚ୍ ଜିତିଛି ।

ସୂଚନା ଯେ, ଆବୁଧାବିରେ ଆଫଗାନିସ୍ତାନ ଜିମ୍ବାଓ୍ୱେକୁ ୪୫ ରନରେ ପରାସ୍ତ କରିଥିଲା । ଏହାସହ ଦଳ ସିରିଜରେ ୨-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ଓ୍ୱିକେଟ ହରାଇ ୧୯୩ ରନ୍ କରିଥିଲା । କରିମ ଜନ୍ନତ ୫୩, ଉସମାନ ଗନୀ ୪୯, ମହମ୍ମଦ ନବୀ ୪୦ ରନ୍ କରିଥିଲେ । ଜବାବରେ ଜିମ୍ବାଓ୍ୱେ ୧୭.୧ ଓଭରରେ ୧୪୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ରିଆନ ବର୍ଲ ସର୍ବାଧିକ ୪୦ ରନ୍ କରିଥିଲେ । ଆଫଗାନିସ୍ତାନ ତରଫରୁ ରଶିଦ ଖାନ ୩ ଓ୍ୱିକେଟ, ନବୀନ ଉଲ ହକ୍ ଓ ନବୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ମହମ୍ମଦ ନବୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

Spread the love