ଆସନ୍ତା ଅଗଷ୍ଟ ୨ ତାରିଖରୁ ହାଇକୋର୍ଟ ହାଇବ୍ରିଡ୍‌ ମୋଡ୍‌ରେ ଚାଲିବ

ଆସନ୍ତା ଅଗଷ୍ଟ ୨ ତାରିଖରୁ ହାଇକୋର୍ଟ ହାଇବ୍ରିଡ୍‌ ମୋଡ୍‌ରେ ଚାଲିବ । ଅର୍ଥାତ ଉଭୟ ଭର୍ଚୁଆଲ୍‌ ଏବଂ ସିଧାସଳଖ ଶୁଣାଣିରେ ମାମଲା ପରିଚାଳନା କରାଯିବ । ଆଇନଜୀବୀମାନେ ସେମାନଙ୍କ ପସନ୍ଦ ଅନୁସାରେ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇ ମାମଲା ପରିଚାଳନା କରିବେ । ଏହି ମର୍ମରେ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଫାଇଲିଂ କାଉଣ୍ଟର୍‌ ନିକଟରେ ଦିନ ୧୦ଟାରୁ ଅପରାହ୍‌ଣ ସାଢେ ୪ଟା ମଧ୍ୟରେ ବିଭିନ୍ନ କେସ୍‌ର ଫାଇଲ୍‌ କରାଯିବ । ଇମେଲ୍‌ ଜରିଆରେ ମଧ୍ୟ ରୁଜୁ କରାଯାଇପାରିବ । କୌଣସି ମାମଲାର ପଞ୍ଜିକରଣ ପାଇଁ ଯଦି ମେମୋ ଦାଖଲ କରାଯିବାର ଥାଏ ତାହେଲେ ସିଧାସଳଖ ଭାବେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ କରାଯାଇ ପାରିବ । ପୂର୍ବଭଳି ସାର୍ଟିଫାଏଡ୍‌ କପି ୱେବ୍‌ସାଇଟ୍‌ ଜରିଆରେ ଅପ୍‌ଲୋଡ୍‌ କରାଯାଇ ପାରିବ । ପୂର୍ବରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ଆଧାରରେ କୋର୍ଟ ଚାଲିବ ବୋଲି ହାଇକୋର୍ଟ ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ।

ଓଡିଶା ହାଇକୋର୍ଟ, ବାର୍‌ ଆସୋସିଏସନ୍‌ କିମ୍ବା ଆଇନଜୀବୀ ପରିଷଦ ଦ୍ୱାରା ଦିଆଯାଇଥିବା ପାସ୍‌ ଦେଖାଇ ଆଇନଜୀବୀ, ସେମାନଙ୍କ କ୍ଲର୍କ କିମ୍ବା କୌଣସି ପକ୍ଷ କୋର୍ଟକୁ ପ୍ରବେଶ କରିପାରିବେ । ଏହି ପାସ୍‌ ଦେଖାଇ ପ୍ରବେଶ ପରେ ଆଗନ୍ତୁକମାନେ ହାଇକୋର୍ଟ ବିଲ୍‌ଡିଂକୁ ଯାଇ ପ୍ରତ୍ୟେକ କୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରହିଥିବା ପ୍ରତୀକ୍ଷାଗୃହରେ ସେମାନଙ୍କ ମାମଲାର ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଗୋଟିଏ ପକ୍ଷ ଲାଗି ଜଣେ ଆଇନଜୀବୀ ଏବଂ ଜଣେ କ୍ଲର୍କଙ୍କୁ ଅନୁମତି ଦିଆଯିବ । ବରିଷ୍ଠ ଆଇନଜୀବୀଙ୍କ ଲାଗି ଜଣେ ସହକାରୀ ଆଇନଜୀବୀ ସାଥୀରେ ଯାଇପାରିବେ । ଯଦି ଅଧିକ ଡକ୍ୟୁମେଣ୍ଟ ଥାଏ ତାହେଲେ ଆଇନଜୀବୀଙ୍କୁ ତାଙ୍କ ସହ ପ୍ରତୀକ୍ଷାଗୃହ ପର୍ଯ୍ୟନ୍ତ କ୍ଲର୍କଙ୍କୁ ନେବା ପାଇଁ ଅନୁମତି ପ୍ରଦାନ କରାଯିବ ।

Spread the love