ପଦ୍ମ ଧରିଲେ ଅଭିନେତା ଅରୁଣ ଗୋଭିଲ

ନୂଆଦିଲ୍ଲୀ : ସିରିଏଲ ‘ରାମାୟଣ’ର ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ସେ ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ । ଅରୁଣ ଗୋଭିଲ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ବିଜେପିରେ ଯୋଗଦେବା ଅବସରରେ ଅରୁଣ କହିଛନ୍ତି ଯେ ଏହି ସମୟରେ ଆମର ଯାହା କର୍ତବ୍ୟ ତାହା କରାଯିବା ଉଚିତ୍ । ପୂର୍ବରୁ ମୁଁ ରାଜନୀତିକୁ ବୁଝିପାରୁନଥିଲି । କିନ୍ତୁ ଯେବେ ଠାରୁ ମୋଦୀ ଜୀ ଦେଶକୁ ସମ୍ଭାଳିଛନ୍ତି ସେବେଠାରୁ ଦେଶର ପରିଭାଷା ବଦଳି ଯାଇଛି । ମୋ ହୃଦୟ ଏବଂ ମନରେ ଯାହା ଘଟେ ତାହା ମୁଁ କରେ ବୋଲି ସେ କହିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଯେ ଅରୁଣ ଗୋଭିଲଙ୍କ ପୂର୍ବରୁ ‘ରାମାୟଣ’ର ଅନ୍ୟ କଳାକାରମାନେ ମଧ୍ୟ ରାଜନୀତିରେ ପ୍ରବେଶ କରିଛନ୍ତି । ରାମାୟଣରେ ‘ସୀତା’ ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖାଲିଆଙ୍କ ବ୍ୟତୀତ ‘ହନୁମାନ’ ଭୂମିକାରେ ଅଭିନୟ କରୁଥିବା ଦାରା ସିଂ ଏବଂ ‘ରାବଣ’ ଭୂମିକାରେ ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀ ମଧ୍ୟ ରାଜନୀତିରେ ଯୋଗ ଦେଇସାରିଛନ୍ତି ।

Spread the love