ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ ଅଭିନେତା ତଥା ଖିଲାଡି ଷ୍ଟାର ଅକ୍ଷୟ କୁମାର ରବିବାର ଦିନ କରୋନା ପଜିଟିଭ ହୋଇଥିବା ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହିତ ସେ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି ଏବଂ କରୋନା ନିୟମ ପାଳନ କରୁଛନ୍ତି ବୋଲି କହିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ଫଳରେ ତାଙ୍କୁ ରବିବାର ସନ୍ଧ୍ୟାରେ ମୁମ୍ବାଇର ପୋଓ୍ଵାଇ ସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ନେଇ ଅକ୍ଷୟ କୁମାର ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, ଡାକ୍ତରୀ ପରାମର୍ଶକ୍ରମେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। “ଆପଣମାନଙ୍କ ଆଶୀର୍ବାଦ କାମ କରୁଛି, ମୁଁ ଭଲ ଅଛି କିନ୍ତୁ ସତର୍କତା ଦୃଷ୍ଟିରେ ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖୁବ ଶୀଘ୍ର ଫେରି ଆସିବି। ଆପଣମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ” । ସେହିପରି ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଲେଖିଥିଲେ ଯେ , ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ଯେ, କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ମୁଁ ଜାଣିଲି। ସବୁ ନୀତିନିୟମ ମାନି ତୁରନ୍ତ ପୃଥକ୍‌ବାସ ଆରମ୍ଭ କରିଛି। ଗୃହ ସଂଘରୋଧରେ ଥାଇ ଡାକ୍ତରୀ ପରାମର୍ଶ ଲୋଡ଼ିଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିଜର ନମୁନା ପରୀକ୍ଷା କରାଇ ନିଅନ୍ତୁ।

ସୂଚନା ଯେ, ଅକ୍ଷୟ କୁମାର ଫିଲ୍ମ ରାମସେତୁର ସୁଟିଂ କରୁଥିଲେ। ଇତି ମଧ୍ୟରେ ସେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହାପରେ ଫିଲ୍ମ ସହ ଜଡିତ ପାଖାପାଖି ୭୫ ଜଣଙ୍କ କରୋନା ଯାଞ୍ଚ ହୋଇଛି ଯେଉଁଥିରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଫିଲ୍ମ ସୁଟିଂ ବନ୍ଦ କରିଦିଆଯାଇଛି। ରାମସେତୁରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣଦିଶ ଓ ନୁସରତ ଭରୁଚା ମଧ୍ୟ ନଜର ଆସିବେ। ଫିଲ୍ମ ସୁଟିଂ ପୂର୍ବରୁ ସେ ମନ୍ଦିରରେ ପୂଜା କରିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Spread the love