ପଶ୍ଚିମବଙ୍ଗ ମାଲଦାରୁ ଉଦ୍ଧାର ହେଲେ ଅପହୃତ ସୁରକ୍ଷା କର୍ମୀ

  • ପୁଲିସ ହାତରେ ଧରାପଡ଼ିଲେ ଅପହରଣକାରୀ ସେକ୍ ସାକିରୁଲ୍‌

ବାରିପଦା : ପ୍ରାୟ ପାଂଚ ଦିନର କସରତ ପରେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଥାନା ମାନିକଚକ୍ ଅଧୀନ ଘିଷାନତୋଳାର ଧରମପୁର ଗ୍ରାମରୁ ଉଦ୍ଧାର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରୁ ଅପହୃତ ହୋଇଥିବା ଘରୋଇ ସଂସ୍ଥାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ତଥା ବାଙ୍ଗିରିପୋଷି ଥାନା ବେଢ଼ାକୁଦର ଗ୍ରାମର ଜୟପ୍ରକାଶ ମହାନ୍ତ । ପୁଲିସ ଅପହୃତ ସୁରକ୍ଷାକର୍ମୀ ଜୟପ୍ରକାଶଙ୍କୁ ଉଦ୍ଧାର କରିବା ସହିତ ଅପହରଣକାରୀ ସେକ୍ ସାକିରୁଲ(୩୨)ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବିଷୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ସୂଚନା ଦେଇଛନ୍ତି । ମାଲଦାରୁ ମୟୂରଭଞ୍ଜ ପୁଲିସର ଏସଆଇ ସନ୍ତୋଷ ବିଶୋଇ, ଏସଆଇ କ୍ଷୀରୋଦ କୁମାର ଖୁଣ୍ଟିଆ, କନେଷ୍ଟବଳ କାଦମ୍ବନୀ ବେହେରା ଏବଂ ଅନ୍ୟ ପୁଲିସ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଅପହୃତ ଜୟପ୍ରକାଶଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଅପହରଣକାରୀଙ୍କୁ ଗିରଫ କରିବା ପରେ ପଶ୍ଚିମବଙ୍ଗ ମାଲଦା ସିଜେଏମଙ୍କ ଅଦାଲତରେ ହାଜର କରାଇଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆଠାରେ ଏକ ଘରୋଇ କାରଖାନାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଜୟପ୍ରକାଶ ମହାନ୍ତଙ୍କୁ ଅପହରଣ କରି ନିଆଯାଇଥିବା ବିଷୟକୁ ନେଇ ଜୟପ୍ରକାଶଙ୍କ ସ୍ତ୍ରୀ ସୁବାସିନୀ ମହାନ୍ତଙ୍କ ପକ୍ଷରୁ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଏହାକୁ ନେଇ ଥାନାରେ ଆଇପିସି ଧାରା ୩୬୩, ୩୬୫ ଅନୁସାରେ ୫୮/୧୫.୦୩.୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ସମୟରେ ଅପହରଣକାରୀ ଜୟପ୍ରକାଶ ମହାନ୍ତଙ୍କ ସ୍ତ୍ରୀ ସୁବାସିନୀଙ୍କ ମୋବାଇଲକୁ ଫୋନ କରି ୨୨ ଲକ୍ଷ ଟଙ୍କା ଦେବାକୁ ଦାବୀ କରିଥିଲେ । ପୁଲିସ ପକ୍ଷରୁ ଏହି ଫୋନ କଲକୁ ଟ୍ରାକିଂରେ ପକାଯିବା ପରେ କଲ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଅଂଚଳରୁ ଆସିଥିବାର ଜଣାପଡ଼ିଥିଲା ଏବଂ ଶେଷରେ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ମାଲଦା ଅଭିମୁଖେ ବାହାରି ଯାଇ ମାଲଦା ପୁଲିସ ସହାୟତାରେ ଅପହୃତ ଜୟପ୍ରକାଶ ସହିତ ଅପହରଣକାରୀଙ୍କ ନିକଟରେ ପହଁଚିବାରେ ସଫଳ ହୋଇଥିଲେ ।

Spread the love