ଓଡ଼ିଶା ଆସୁଥିଲେ ୭୨ଘଣ୍ଟାର ଆର୍‌ଟି-ପିସିଆର ନେଗେଟିଭ୍ ରିପୋର୍ଟ ଦରକାର

  • ଦ୍ୱିତୀୟ କରୋନା ଟିକା ପ୍ରମାଣପତ୍ର ମଧ୍ୟ ଦେଖାଇପାରିବେ

  • ୧୦ରୁ ୩୦ ଯାଏଁ ଓଡ଼ିଶା-ଛତିଶଗଡ଼ ଗାଡ଼ି ଚଳାଚଳ ବନ୍ଦ

  • ୧୬ ଜିଲ୍ଲାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଓଡ଼ିଶା ଆସିବାକୁ ହେଲେ କୋଭିଡ୍ ନେଗେଟିଭ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶାରୁ ଛତିଶଗଡ଼କୁ କୌଣସି ଗାଡ଼ି ଯାଇପାରିବ ନାହିଁ କି ଆସିପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସୂରଚନା ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଏସଆରସିଙ୍କ ପକ୍ଷରୁ ନୂତନ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏହା ଅନୁଯାୟୀ ଏଣିକି ଯେକୌଣସି ସ୍ଥାନରୁ ଯେକୌଣସି ସାଧାରଣ ପରିବହନ ବ୍ୟବସ୍ଥା (ବସ୍‌, ରେଳ, ବିମାନ ବା ଜଳପଥ) କିମ୍ବା ଘରୋଇ ଗାଡିରେ ଆସିଲେ ୭୨ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ନେଇ ଆସିବେ । ଏହା ବ୍ୟତୀତ ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିପାରିବ । ଏହି ଉଭୟ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଂଟାଇନ୍ ରେ ରହିବାକୁ ବାଧ୍ୟ ହେବେ । ଏପ୍ରିଲ ୧୨ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ।

ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡରୁ ଓଡିଶାକୁ ଏବଂ ଓଡିଶାରୁ ଛତିଶଗଡକୁ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ସୀମାନ୍ତ ଚେକ୍ ଗେଟ୍ ଗୁଡିକରେ ଯାଂଚ କଡାକଡି କରିବାକୁ କୁହାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ , ମାଲକାନଗିରି, ଗଂଜାମ, ଗଜପତି, ରାୟଗଡା, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଟିଏମସି ଓ ସିଏଲ ଟିଏମସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ରାଜ୍ୟକୁ ଟିକା ନ ଆସିଲେ ଓଡ଼ିଶାରେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର । ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି । ୧୦ ଦିନ ପାଇଁ ଆମକୁ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସେ ପ୍ରକାଶ କରିଛନ୍ତି ।

Spread the love