୭ବର୍ଷ ତଳେ ନିଷ୍କ୍ରିୟ କରିଥିଲେ ସୁପ୍ରିମକୋର୍ଟ, ଏବେ ବି ହେଉଛି ମାମଲା, କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ହେଲା ଆଇଟି ଆକ୍ଟ ଧାରା ୬୬ଏ ନିଷ୍କ୍ରିୟ ହେବା ପରେ ବି ଏହାକୁ ଆଇନରୁ ହଟାଯାଇ ନାହିଁ କି କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟାକାରୀ କରାଯାଇ ନାହିଁ। ପୁଲିସ ଏବେ ବି ଏହି ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କାହିଁକି ଧାରା ୬୬ଏକୁ ଏପର୍ଯ୍ୟନ୍ତ ନିଷ୍କ୍ରିୟ କରାଯାଇ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାରେ କୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା କରିଥିଲା ପିୟୁସିଏଲ୍‌(ପିପୁଲ ୟୁନିୟନ ଫର୍ ସିଭିଲ ଲିବର୍ଟିଜ୍)। ଏହି ଆବେଦନରେ କୁହାଯାଇଥିଲା ଯେ ୨୦୧୫ରେ ଶ୍ରେୟ ସିଂଘଲ ମାମଲାରେ ସୁପ୍ରିମୋ କୋର୍ଟ ଆଇଟି ଆକ୍ଟର ଧାରା ୬୬ଏକୁ ନିଷ୍କ୍ରିୟ କରିଥିଲେ। ହେଲେ ଏହା ସତ୍ତ୍ୱେ ବି ଦେଶରେ ଏହି ଧାରାରେ ହଜାର ହଜାର ମାମଲା କରାଯାଇଛି ଓ ଅନେକ ମାମଲା ଏବେ ବି ପେଣ୍ଡିଂ ରହିଛି। ତେଣୁ କେନ୍ଦ୍ର ସରକାର ଦେଶରେ ସମସ୍ତ ଥାନାକୁ ଆଡ୍‌ଭାଇଜରି ଜାରି ଧାରା ୬୬ଏ ଅନୁସାରେ ମାମଲା ନ କରିବାକୁ କୁହନ୍ତୁ ବୋଲି ପିୟୁସିଏଲ୍‌ କୋର୍ଟରେ ଜଣାଇଥିଲେ।

କୋର୍ଟ ଏ ପ୍ରସଙ୍ଗରେ ଅବଗତ ହେବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ମାମଲାର ଶୁଣାଣି ବେଳେ ଜଷ୍ଟିସ ରୋହିଁଟନ ଏପ୍‌ ନରୀମନଙ୍କ ନେୃତୃତ୍ୱରେ ବିଚାର କରୁଥିବା ଖଣ୍ଡପୀଠ କହିଥିଲେ ଯେ ଆଇନ୍ ଖାରଜ ହେବା ପରେ କାର୍ଯ୍ୟାକାରୀ ହେଉଛି। ଏହା ଭୟାନକ ସ୍ଥିତି ବୋଲି କୋର୍ଟ କହିଥିଲେ। ଏହା ଆମକୁ ସ୍ତବ୍ଧ କରିଛି। ଦୁଇ ସପ୍ତାହ ଭିତରେ କେନ୍ଦ୍ର ସରକାର ଏହାର ଉତ୍ତର ରଖନ୍ତୁ। ଆମେ କିଛି ପଦକ୍ଷେପ ନିହାତି ନେବୁ ବୋଲି କୋର୍ଟ କହିଥିଲେ।

Spread the love