୩ ପିସ୍ତଲ ଜବତ, ୩ ଗିରଫ

ଜୟପୁର : ଜୟପୁର ସଦର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବେଆଇନ ପିସ୍ତଲର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରି ତାଙ୍କଠାରୁ ୩ ପିସ୍ତଲ, ୬ଟି ଜୀବନ୍ତ ଗଳି ମଧ୍ୟ ଜବତ ହୋଇଥିବା ନେଇ ଆଜି ଏକ ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା । ଜୟପୁର ଅଂଚଳରେ ଦୀର୍ଘଦିନ ହେବ କିଛି ଯୁବକ ବେଆଇନ ଭାବେ ପିସ୍ତଲ ରଖି ଅସାମାଜିକ କାର୍ଯ୍ୟ ଘଟାଇବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଜୟପୁର ସଦର ପୋଲିସ ପ୍ରଥମ ଫମ୍ପୁଣି ଗ୍ରାମର ଜଣେ ଯୁବକ ଶଙ୍କର ପ୍ରଧାନଙ୍କ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଶଙ୍କରଙ୍କ ଠାରୁ ଗୋଟିଏ ପିସ୍ତଲ ଜବତ କରିଥିଲା । ପୋଲିସର ଅଧିକ ଜେରା ସମୟରେ ଏହି ପିସ୍ତଲ ର ଲିଙ୍କରେ ଅନ୍ୟ ଦୁଇ ଯୁବକଙ୍କ ପାଖକୁ ପହଂଚିଥିଲା । ସେମାନେ ହେଲେ ଦାମାପୁଟର ରାକେଶ କୁମାର ଶୁକ୍ରୀ, ଜୟପୁର ସହରର ପାଇକ ସାହିର ଏମଡ଼ି ଅନସର ଅଲ୍ଲୀ । ଏମାନଙ୍କ ଠାରୁ ମଧ୍ୟ ଦୁଇଟି ପିସ୍ତଲ ଜବତ କରିଛି ପୋଲିସ । ଏହି ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପ୍ରଧାନ । ତା ନାମରେ ଜୟପୁର ସଦର ଥାନାରେ ତିନିଟି ଅପରାଧିକ ମାମଲା ଥିବା ବେଳେ କୁନ୍ଦ୍ରା ଥାନାରେ ଜଣେ ସାମ୍ବାଦିକଙ୍କୁ ଜୀବନରେ ମାରିବା ଭଳି ମାମଲାରେ ଜଡ଼ିତ ଅଛି । ଅନ୍ୟପଟେ ରାକେଶ କୁମାର ଶୁକ୍ରୀ ଜଣେ ଓକିଲଙ୍କୁ ଆକ୍ରମଣ କରିବା ଘଟଣାରେ ଜୟପୁର ଟାଉନ ଥାନାରେ ମାମଲା ରହିଛି । ଅନ୍ୟପଟେ ଗିରଫ ତିନି ଯୁବକଙ୍କ ଠାରୁ ତିନିଟି ପିସ୍ତଲ, ୭.୬୫ ଏମଏମର ଜୀବନ୍ତ ଗୁଳି, ତିନିଟି ମୋବାଇଲଏବଂ ଏକ ଧଳା ଅ।।ପାଚି ବାଇକ ଜବତ ହୋଇଥିବା ବେଳେ ପିସ୍ତଲର ରାକେଟର ଚେର କେଉଁଠାକୁ ଲମ୍ବିଛି ଏବଂ ଏହା କେଉଁ ଅସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର ହେବାର ଥିଲା ଏବଂ ଗୁଳି କେଉଁଠୁ ଆସିଛି ସେ ସବୁର ପୁରା ତଦନ୍ତ ଚାଲିଛି ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ।

Spread the love