୧୩ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାର ପଂଚମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ପୁଲିସ ୧୩ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ ଦୀର୍ଘ ୧୩ ବର୍ଷ ତଳର ଏହି ଘଟଣାରେ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି । ସେ କହିଛନ୍ତି ଯେ ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା । ଗିରଫ ହୋଇଥିବା ଅପରାଧୀ ଜଣକ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲା । ଏଥିପାଇଁ ସେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲା ଏବଂ ହତ୍ୟା କରିବା ପରେ ସୁମନ୍ତଙ୍କୁ ତାଙ୍କ ଗାଡ଼ି ଭିତରେ ହିଁ ରଖି ଦେଇଥିଲା ।

ବିକ୍ରମାଦିତ୍ୟ ଫେରାର ପରେ ପୁନେରେ ରହୁଥିଲା। ସେ ପୁନେରେ ଜଣେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ନିୟମିତ ବ୍ୟବଧାନରେ ସେ ତାଙ୍କର ପରିବାର ଲୋକ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ଜାରି ରଖିଥିଲେ। ଏହି ସୂଚନା ପାଇବା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ କମିଶନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନା ଯେ, ୨୦୦୮ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ତଥା ପଞ୍ଚମ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଏହି ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ରବିବାର ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତର ନାମ ବିକ୍ରମାଦିତ୍ୟ ଜେନା। ୨୦୦୮ରେ ସୁମନ୍ତଙ୍କ ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି। ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ସୁମନ୍ତଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ସୁମନ୍ତଙ୍କୁ ହତ୍ୟା ପରେ ତାଙ୍କ କାରରେ ଭର୍ତ୍ତି କରି ଚକେଇଶିଆଣୀ କେନାଲରେ ଛାଡ଼ି ଦେଇଥିଲେ।

Spread the love