୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ

ମୁମ୍ବାଇ : ମୁମ୍ବାଇ ୨୦୦୮ ନଭେମ୍ବର ୨୬ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ । ଆଜିର ଦିନରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କବାଦୀ ମୁମ୍ବାଇ ସହରରେ ପଶି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଦେଶୀ ନାଗରିକଙ୍କ ସମେତ ୧୭୪ଜଣଙ୍କର ମୃତ୍ୟୁ ଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣରେ ୧୨ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଦକ୍ଷିଣ ମୁମ୍ବାଇର ପୋଲିସ ମୁଖ୍ୟାଳୟରେ ନବନିର୍ମିତ ସ୍ମାରକ ସ୍ଥଳରେ ହେବ । ଏଥିରେ ସହିଦ ସୁରକ୍ଷାକର୍ମୀଙ୍କୁ ପରିବାର ଲୋକ ସାମିଲ ହେବ । କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନିତ ଦେଶମୁଖ, ପୋଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ସୂଚନା ଯେ, ଆତଙ୍କବାଦୀମାନେ ପାକିସ୍ତାନ କରାଚି ବନ୍ଦରରୁ ସମୁଦ୍ର ପଥରେ ଆସି ମୁମ୍ବଇ ସହରରେ ଅନୁପ୍ରବେଶ କରିଥିଲେ। ପରେ ସେମାନେ ସହରର ବିଭିନ୍ନ ସ୍ଥାନ ଯଥା ଛତ୍ରପତି ଶିବାଜୀ ଟର୍ମିନସ, ଚବାଡ ହାଉସ, ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ, ନରିମାନ ହାଉସରେ ଆକ୍ରମଣ ଘଟାଇଥିଲେ। ୪ ଦିନ ଧରି ଏହି ଆକ୍ରମଣ ଚାଲିଥିଲା। ଏଥିରେ ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଲୋକଙ୍କୁ ହତ୍ୟା କରିବା ସହ ଅନେକ ଲୋକଙ୍କୁ ଆହତ କରିଥିଲେ । ପରେ ଏନଏସଜି କମାଣ୍ଡୋଙ୍କ ସ୍ୱତନ୍ତ୍ର ଅପରେସନ (ବ୍ଲାକ୍‌ ଟର୍ଣ୍ଣାଡୋ) ଓ ଅନ୍ୟ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କବାଦୀଙ୍କୁ ନିହତ କରିବା ସହ ଜଣେ ଜୀବନ୍ତ ଆତଙ୍କବାଦୀ ଅଜମଲ୍‌ ଆମିର କସାବକୁ ଗିରଫ କରିବାରେ ସଫଳ ହୋଇଥିଲା । ପରବର୍ତ୍ତୀ ସମୟରେ କସାବକୁ ୨୧ ନଭେମ୍ବର ୨୦୧୨ରେ ଫାଶୀ ଦିଆଯାଇଥିଲା । ଏହି ଆକ୍ରମଣ ପଛରେ ପାକିସ୍ତାନ ସରକାର ଓ ସେନାର ପ୍ରଚ୍ଛନ୍ନ ହାତ ରହିଥିବା ନେଇ ଭାରତ ସମେତ ବିଶ୍ବ ସମୁଦାୟ ଅଭିଯୋଗ କରିଆସିଛନ୍ତି। ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ବିଷୟକୁ ନିଜ ଦେଶର ଜଣେ ସାଂସଦ ମଧ୍ୟ ସ୍ବୀକାର କରିଥିଲେ।

Spread the love