୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟର ୬୬.୩୫% କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟର ୬୬.୩୫ ପ୍ରତିଶତ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବୋଲି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପ୍ରକାଶ କରିଛନ୍ତି । ଆଜି ଗୃହରେ ମନ୍ତ୍ରୀ ଶ୍ରୀ ପୂଜାରୀ ଆଗତ କରିଥିବା ଖର୍ଚ୍ଚ ଦାବି ଆଲୋଚନା ଓ ସମାଲୋଚନାର ଉତର ଦେଇ କହିଥିଲେ ଯେ, କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଆବଂଟନର ପୂର୍ଣ୍ଣ ପ୍ରାଥମିକତା ଗୁରୁତ୍ୱ ଦିଆଯାଇଛି ।
ସ୍ୱାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ଼ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ୟାକେଜ କୋଭିଡ଼-୧୯ ବିଶେଷ ସହାୟତା, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ମଧ୍ୟମ େଉଦ୍ୟାଗ କ୍ଷେତ୍ର, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟବରାଦ ସାମାଜିକ ଅର୍ଥ ନୈତିକ କ୍ଷେତ୍ର ଉପରେ ଧ୍ୟାନ ଦେଇଥାଏ । ସର୍ବମୋଟ ୭ ହଜାର ୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦରେ ପରିବାର କଲ୍ୟାଣ ପାଇଁ ୧୬୨୭ କୋଟି, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨ ହଜାର ୪୧ କୋଟି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପାଇଁ ୧ ହଜାର ୭୭ କୋଟି, ଭିତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହିପରି ଭାବେ କାର୍ଯ୍ୟକ୍ରମ ବ୍ୟୟରୁ ସର୍ବମୋଟ ୭ ହଜାର ୧୯୯ କୋଟି ଟଙ୍କା (୯୭ ପ୍ରତିଶତ) ବିକାଶ ନିମନ୍ତେ ଯୋଜନା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୧୬୨୭ କୋଟି ଟଙ୍କା ମଧ୍ୟରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ଭେଷଜ ମହା ବିଦ୍ୟାଳୟ, ପ୍ରାଥମିକ, ମାଧ୍ୟମିକ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକର ଭିତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଗାଣ ମଧ୍ୟରେ ଔଷଧ କିଣା, ଆପତ କାଳୀନ ଆମ୍ବୁଲାନ୍ସ ସେବା ଓ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୪୧୨ କୋଟି ଟଙ୍କା, ଯନ୍ତ୍ରପାତି କିଣା ପାଇଁ ୨୨୭ କୋଟି ଟଙ୍କା, ଆୟୁଷ ଯୋଜନା ପାଇଁ ୨୬ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୪୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗ୍ରାମୀଣ ଗୃହ ନିର୍ମାଣ ପାଇଁ ୧୫୧୪ କୋଟି ଟଙ୍କା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ପାଇଁ ୫୦୦ କୋଟି ଟଙ୍କା, କୋଭିଡ଼ ସହାୟତା ପାଇଁ ଘର ପିଛା ୧୦୦୦ ଟଙ୍କା, ଟଙ୍କିକିଆ ଚାଉଳ ପ୍ରଦାନ ପାଇଁ ଖାଦ୍ୟ ରିହାତି ନିମନ୍ତେ ୧୦୬୭ କୋଟି ଟଙ୍କା, ଓଡ଼ିଶା ରାଜ୍ୟ ରାଜପଥ ବିକାଶ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା, ନକ୍ସଲ ପ୍ରଭାବିତ ଅଂଚଳ ରାସ୍ତା ପାଇଁ ୨୦ କୋଟି ଟଙ୍କା, ଓପିଟିସିଏଲକୁ ଇକ୍ୟୁଇଟି ସହାୟତା ନିମନ୍ତେ ୬୪୭ କୋଟି ଟଙ୍କା, ଓଟିଏସଆଇପି ପାଇଁ ୨୩୬ କୋଟି ଟଙ୍କା ବରାଦ କରାଯାଇଛି । ସେହିପରି ମତ୍ସ୍ୟ ପଶୁ ସମ୍ପଦ ଉନ୍ନୟନ ନିମନ୍ତେ ୬୨ କୋଟି ଟଙ୍କା, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ନିମନ୍ତେ ୫୫ କୋଟି ଟଙ୍କା, ହସ୍ତତନ୍ତ ବୟନଶିଳ୍ପ ହସ୍ତଶିଳ୍ପ ପାଇଁ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସେ କହିଲେ ଯେ, ୯ ଗୋଟି ଖଣିର ବେଆଇନ ଭାବରେ ଅଧିକ ଖଣିଜ ପଦର୍ଥ ଉତୋଳନ ଉପରେ ଆଲୋଚନା ବିରୋଧି ଦଳ ପକ୍ଷରୁ କରାଯାଇଛି । ଏହି ମାମଲା ଲୋକାୟୁକ୍ତ ଦ୍ୱରା ବିଚାରଧିନ ରହିଛି । ରାଜ୍ୟ ସରକାର ଏ ବାବଦକୁ ଲୋକାୟୁକ୍ତଙ୍କ ନିକଟରେ ତାଙ୍କର ପକ୍ଷ ରଖି ସାରିଛନ୍ତି । ତେଣୁ ତାଙ୍କର ରାୟକୁ ଅପେକ୍ଷା କରିବାକୁ ପଡ଼ିବ । ଏହି କେସ୍ ଅଧିକ ତ୍ୱରାନ୍ୱିତ ପାଇଁ ଖଣି ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି । ଆବଶ୍ୟକ ସମ୍ବଳ ସଂଗ୍ରହ ଉପରେ ସଭ୍ୟମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । କରୋନାର ପ୍ରଭାବ ସତ୍ୱେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ତୁଳନାରେ ୧.୭ ପ୍ରତିଶତ ବୃଦ୍ଧି ହୋଇଛି । କୋଭିଡ଼ ମାମଲା ହ୍ରାସ ଏବଂ ଧିରେ ଧିରେ ଅର୍ଥ ବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛି ମାସ ମଧ୍ୟରେ ରାଜସ୍ୱ ପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଅଧିକ ରାଜସ୍ୱ ଆଦାୟ ଋଣ ଉପରେ ନିର୍ଭରଶୀଳତା କମ୍ କରିବା ଏବଂ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତନ ଉପରେ ଗୁରୁତ୍ୱ ଦିଆଯାଇଛି ।
୨୦୨୦ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ରାଜସ୍ୱ ବଳକା ୬ ହଜାର ୭୯୦ କୋଟି ଟଙ୍କା ରହିଛି । ତେଣୁ ସମ୍ବଳ ନେଇ କୌଣସି ଚିନ୍ତା ପ୍ରକଟର ଆବଶ୍ୟକତା ନାହିଁ । କେନ୍ଦ୍ରୀୟ ଅନୁଦାନ ତଥା କେନ୍ଦ୍ର୍ରୀୟ ଟିକସରେ ରାଜ୍ୟ ଅଂଶ ପ୍ରାପ୍ତିରେ ହ୍ରାସ ରାଜ୍ୟ ପାଇଁ ଏକ ଚିନ୍ତାର କାରଣ ହୋଇଛି । ଋଣ ଭାର ସମ୍ପର୍କରେ ସେ କହିଲେ ଯେ, ଏହି ସମୟ ଶେଷ ସୁଦ୍ଧା ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ରହିଛି । ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ । ତେଣୁ ଋଣଭାର ପୋଷଣୀୟ ସ୍ତରରେ ରହିଛି । ତେଣୁ ଏ ବାବଦରେ ସନ୍ଦେହ କରିବାର ଅବକାଶ ନାହିଁ । ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଭିଡ଼ – ୧୯ ପାଇଁ ଘୋଷିତ ପ୍ୟାକେଜ ଓ ଅନ୍ୟ ପ୍ରାଥମିକତା କ୍ଷେତ୍ର ଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।ମନ୍ତ୍ରୀଙ୍କ ଉତର ପରେ ଏହି ଆର୍ଥିକ ବିଲ୍‌ଟି ଗୃହୀତ ହୋଇଥିଲା ।

Spread the love