୧୧ରେ ରୋହିତ୍‌ଙ୍କ ଫିଟ୍‌ନେସ୍ ଟେଷ୍ଟ

ମୁମ୍ବାଇ : ରୋହିତ ଶର୍ମାଙ୍କ ବାପା ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦେଖିବା ପାଇଁ ରୋହିତ ଆଇପିଏଲ୍ ଶେଷ ହେବା ପରେ ୟୁଏଇରୁ ସିଧା ମୁମ୍ବାଇ ଫେରିଆସିଥିଲେ । ତାଙ୍କ ବାପା ସୁସ୍ଥ ହେଉଥିବା ବେଳେ ରୋହିତ ବେଙ୍ଗାଲୁରୁର ରାଷ୍ଟ୍ରୀୟ କ୍ରିକେଟ୍ ଅକାଡ଼େମୀ (ଏନ୍‌ସିଏ)ରେ ଫିଟ୍‌ନେସ୍ ଟ୍ରେନିଂ ନେଉଛନ୍ତି । ରୋହିତଙ୍କୁ ନେଇ ବିରାଟ କୋହଲି ଦେଇଥିବା ପ୍ରତିକ୍ରିୟା ଉପରେ ଏହି ଅପଡେଟ୍ ଦେଇଛି ବିସିସିଆଇ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁୁ ଦୃଷ୍ଟିରେ ରଖି ରୋହିତ ଶର୍ମାଙ୍କ ଫିଟ୍‌ନେସ୍ ଟେଷ୍ଟ କରାଯିବ । ଡିସେମ୍ବର ୧୧ ତାରିଖରେ ପୁଣି ତାଙ୍କ ଫିଟ୍‌ନେସ୍ ଟେଷ୍ଟ କରାଯିବ । ତା’ପରେ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ବିଚାର କରାଯିବ ।

ସୂଚନା ଯେ, ଟିମ୍ ଇଣ୍ଡିଆ ଓପନର ରୋହିତ ଶର୍ମା ଆଘାତ କାରଣରୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର୍ ସିରିଜ୍ ତ ଖେଳିପାରିବେ ନାହିଁ । ଏଥିସହ ଟେଷ୍ଟ୍ ସିରିଜ୍‌ରେ ବି ସେ ସ୍ଥାନ ପାଇବେ କି ନାହିଁ,ସେଥିନେଇ ଢେର୍ ଆଶଙ୍କା ରହିଛି । ଗତ ଆଇପିଏଲ୍‌ରେ ଆହତ ହୋଇଥିବା ରୋହିତଙ୍କ ସ୍ଥିତି ଅଦ୍ୟାବଧି ଆଦୌ ସ୍ପଷ୍ଟ ହୋଇ ନ ଥିବା ବେଳେ ଏନେଇ କେବଳ ପ୍ରଶଂସକମାନେ ଯେ ଅନ୍ଧାରରେ ଅଛନ୍ତିତା’ ନୁହେଁ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମଧ୍ୟ ଏନେଇ ବିଶେଷ କିଛି ଜାଣି ନ ଥିବା କହିଛନ୍ତି । ଏ ସଂକ୍ରାନ୍ତରେ ଗୁରୁବାର ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଚୟନ ପୂର୍ବରୁ ରୋହିତ ଆହତ ଓଚୟନ ପାଇଁ ଉପଲବ୍ଧ ନାହାନ୍ତି ବୋଲି ମେଲ୍ ମିଳିଥିଲା । ତେଣୁ ଚୟନ କମିଟି ବୈଠକରେ ମଧ୍ୟ ତାଙ୍କୁ ଟିମ୍‌ରୁ ବାହାରେ ରଖିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ଆଇପିଏଲ୍‌ରେ ସେ ମ୍ୟାଚ୍ ଖେଳିବା ପରେ ଆମ ସହ ଅଷ୍ଟ୍ରେଲିଆ ଯିବେ ବୋଲି ଆମେ ନିଶ୍ଚିତ ଥିଲୁ । କିନ୍ତୁ ସେ କ’ଣ ପାଇଁ ଆମ ସହ ଅଷ୍ଟ୍ରେଲିଆ ଆସିଲେନି, ସେନେଇ ଆମ କାହା ପାଖରେ ବି ଖବର ନାହିଁ । ରୋହିତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେଣୁ ଆମେ ସବୁବେଳେ ଅପେକ୍ଷାରେ ହିଁ ରହିଛୁ ବୋଲି କୋହଲି କହିଛନ୍ତି ।

Spread the love