ୟୁପିରେ ବଳପୂର୍ବକ ଧର୍ମାନ୍ତରୀକରଣ ବ୍ୟାନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ଶନିବାର ବଳପୂର୍ବକ ଧର୍ମାନ୍ତରୀକରଣକୁ ବେଆଇନ ଦର୍ଶାଇବା ସହ ଏହାକୁ ରୋକିବା ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିଛନ୍ତି । ରାଜ୍ୟରେ ଚାଲିଥିବା ‘ଲଭ୍ ଜିହାଦ’ ପ୍ରଥାକୁ ବିଲୋପ କରିବା ନିମନ୍ତେ ଏଭଳି ଏକ ବଳିଷ୍ଠ ଆଇନର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏହି ବିଲ୍‌କୁ ‘ଦ ଉତ୍ତର ପ୍ରଦେଶ ପ୍ରୋହିବେସନ ଅଫ୍ ଅନ୍‌ଲଫୁଲ କନ୍‌ଭର୍ସନ ଅଫ୍ ରିଲିଜିଅନ ଅର୍ଡିନାନ୍ସ, ୨୦୨୦’ ନାମରେ ନାମିତ କରାଯାଇଛି । ଉଲ୍ଲଘଂନକାରୀଙ୍କ ପାଇଁ ଅଧ୍ୟାଦେଶରେ କଠୋର ଦଣ୍ଡବିଧାନ ସହ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ମାମଲା ରୁଜୁ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ବଳପୂର୍ବକ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ଏକ ଅଧ୍ୟାଦେଶ ଆଣିବା ନିମନ୍ତେ ଗତ ସପ୍ତାହରେ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅପରପକ୍ଷରେ ଏଭଳି ବିଲ୍‌କୁ ଅସାମ୍ବିଧାନିକ ଦର୍ଶାଇବା ସହ ଏହାକୁ ବିଧାନସଭାରେ ବିରୋଧ କରାଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ।ସାଂପ୍ରତିକ ସମୟରେ ‘ଲଭ୍ ଜିହାଦ’ ଶବ୍ଦକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଛି । ଆତଙ୍କବାଦୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଅଭିଯୋଗ ମଧ୍ୟ ହେଉଛି । ଏକ ନିର୍ଦିଷ୍ଟ ସଂପ୍ରଦାୟର ପୁଅ ଯଦି ଅନ୍ୟ କୌଣସି ଧର୍ମାବଲମ୍ବୀ ଝିଅକୁ ପ୍ରେମବିବାହ କରିବାପରେ ପତ୍ନୀର ଧର୍ମକୁ ବଳପୂର୍ବକ ପରିବର୍ତ୍ତନ କରିଥାଏ ତାହାକୁ ‘ଲଭ୍ ଜିହାଦ’ ବୋଲି ଆଖ୍ୟା ଦିଆଯାଉଛି । ଦେଶରେ ସାଧାରଣତଃ ମୁସଲମାନ ସଂପ୍ରଦାୟର ଯୁବକମାନେ ହିନ୍ଦୁ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରିବାପରେ ପତ୍ନୀଙ୍କୁ ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିବାର ଯଥେଷ୍ଟ ଦୃଷ୍ଟାନ୍ତ ରହିଛି । ପ୍ରସ୍ତାବିତ ଅଧ୍ୟାଦେଶ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜର ପୂର୍ବ ଧର୍ମକୁ ପୁଣି ଥରେ ଗ୍ରହଣ କରନ୍ତି, ତେବେ ତାହାକୁ ଧର୍ମାନ୍ତରୀକରଣ ଆଖ୍ୟା ଦିଆଯିବ ନାହିଁ ବୋଲି କୁହାଯାଇଛି । ଆଇନରେ ପରିଣତ ହେବାପରେ ଯଦି କୌଣସି ବ୍ୟକ୍ତି ନିୟମ ଖିଲାପ କରନ୍ତି, ତାହାହେଲେ ଉକ୍ତ ବ୍ୟକ୍ତିଙ୍କୁ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସମେତ ସର୍ବନିମ୍ନ ୧୫,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ । ଅପରପକ୍ଷରେ ଯଦି କୌଣସି ନାବାଳକ/ନାବାଳିକା କିମ୍ବା ତଫସିଲଭୁକ୍ତ ଜାତି ଜନଜାତି ବ୍ୟକ୍ତିଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଏ, ତେବେ ସେ କ୍ଷେତ୍ରରେ ଦୋଷୀଙ୍କୁ ୨ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି । ଗଣ ଧର୍ମାନ୍ତରୀକରଣରେ ଦୋଷୀସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କୁ ୩ରୁ ୧୦ ବର୍ଷ ଜେଲଦଣ୍ଡ ସମେତ ସର୍ବନିମ୍ନ ୫୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ । ଅଦାଲତ ଉଚିତ ମନେ କଲେ ପ୍ରଭାବିତଙ୍କୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦୋଷୀଙ୍କୁ ନିର୍ଦେଶ ଦେଇପାରିବେ ବୋଲି କୁହାଯାଇଛି । ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ଏଭଳି ଅପରାଧ ଘଟାଇବାକୁ ପ୍ରବର୍ତ୍ତାଉଥିବାର ପ୍ରମାଣ ମିଳେ, ତାହାହେଲେ ସଂପୃକ୍ତ ବ୍ୟକ୍ତି ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।

ଅପରପକ୍ଷରେ ଯଦି କୌଣସି ବ୍ୟକ୍ତି ଧର୍ମାନ୍ତର ହେବାକୁ ମନସ୍ଥ କରିଥାନ୍ତି, ତାହାହେଲେ ସଂପୃକ୍ତ ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳଙ୍କୁ ୬୦ ଦିନ ପୂର୍ବରୁ ଆଗୁଆ ସ୍ୱୀକାରୋକ୍ତି ଦେବାକୁ ପଡିବ । ଏଥିରେ ଖିଲାପ ହେଲେ ତାଙ୍କୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୦୦୦୦ ଟଙ୍କା ଜୋରିମାନା ଗଣିବାକୁ ପଡିବ । କୌଣସି ଧର୍ମାନ୍ତରକାରୀ ଯଦି ଧର୍ମାନ୍ତର ସମାରୋହ ସମ୍ପନ୍ନ କରିବାକୁ ଇଚ୍ଛୁକ ଥାଆନ୍ତି, ତେବେ ତାଙ୍କୁ ଏକ ମାସ ପୂର୍ବରୁ ସ୍ଥାନୀୟ ପ୍ରଶାସନକୁ ନୋଟିସ ଦେବାକୁ ପଡିବ ନଚେତ ଉକ୍ତ ବ୍ୟକ୍ତି ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୫,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଣାପଡିଛି । ଏଭଳି ଧର୍ମାନ୍ତରୀକରଣ ସମାରୋହ ପରେ ଏହାର ଅସଲ ଉଦ୍ଦେଶ୍ୟ ସମ୍ପର୍କରେ ବିଭାଗୀୟ ତଦନ୍ତ କରାଯିବ । ଅପରପକ୍ଷରେ ଧର୍ମାନ୍ତର କରିଥିବା ବ୍ୟକ୍ତିଙ୍କୁ ଛଅ ମାସ ପରେ ପ୍ରସ୍ତାବିତ ଫର୍ମରେ ନିଜର ସ୍ୱୀକାରୋକ୍ତି ଦାଖଲ କରିବା ଜରୁରୀ ବୋଲି କୁହାଯାଇଛି ।

Spread the love