ହାସ୍ୟ ଅଭିନେତ୍ରୀ ଭାରତୀ ଓ ହର୍ଷଙ୍କୁ ଜାମିନ

ମୁମ୍ବଇ : ନିଶାଦ୍ରବ୍ୟ ସେବନ ଓ ମହଜୁଦ ରଖିଥିବା ଅଭିଯୋଗରେ ଏନ୍‌ସିବି (ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ) ଦ୍ୱାରା ଗିରଫ ହୋଇଥିବା ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କର ସ୍ୱାମୀ ହର୍ଷ ଲିମ୍ବାଛିୟାଙ୍କୁ ମୁମ୍ବଇର ଏକ ମେଟ୍ରୋପଲିଟାନ ଅଦାଲତ ସୋମବାର ଜାମିନ ପ୍ରଦାନ କରିଛନ୍ତି । ପ୍ରତ୍ୟେକଙ୍କୁ ୧୫୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଥିବାବେଳେ ଏନ୍‌ସିବି ପକ୍ଷରୁ ଏହାକୁ ବିରୋଧ କରାଯାଇନଥିବା ପ୍ରକାଶ ।

ସୂଚନା ଯେ, ଏନ୍‌ସିବି ଅଧିକାରୀମାନେ ଶନିବାର ଭାରତୀଙ୍କ ଲୋଖଣ୍ଡୱାଲା କମ୍ପେ୍ଲକ୍ସ ସ୍ଥିତ ବାସଭବନ ଉପରେ ଚଡଉ କରି ୮୬.୫ ଗ୍ରାମ ଓଜନର ମାରିଜୁଆନା ଜବତ କରିଥିଲେ । ପରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଏନ୍‌ସିବି ଦପ୍ତରକୁ ଡକାଯାଇ ଦୀର୍ଘ ସମୟ ଜେରା କରାଯାଇଥିଲା । ମାରିଜୁଆନା ଓ କାନାବିସ୍ ଭଳି ନିଷିଦ୍ଧ ମାଦକଦ୍ରବ୍ୟ ସେବନ କରୁଥିଲେ ବୋଲି ଉଭୟ ଭାରତୀ ଓ ହର୍ଷ ଜେରା ସମୟରେ ସ୍ୱୀକାର କରିଥିଲେ । ଭାରତୀଙ୍କୁ ଶନିବାର ଓ ହର୍ଷଙ୍କୁ ରବିବାର ଗିରଫ କରାଯାଇଥିଲା । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯିବାପରେ ବିଚାରପତି ଉଭୟଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇବାକୁ ରବିବାର ନିର୍ଦେଶ ଦେଇଥିଲେ । ଭାରତୀ ବିଭିନ୍ନ କମେଡି ସିରିଏଲରେ ଅଭିନୟ କରୁଥିବାବେଳେ କେତେକ ରିଏଲିଟୀ ସୋ’ରେ ମଧ୍ୟ ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅପରପକ୍ଷରେ ହର୍ଷ ଟେଲିଜଗତର ଜଣେ ଜଣାଶୁଣା ସଂଳାପ ଲେଖକ ଓ ପ୍ରଯୋଜକ । ସୂଚନାଯୋଗ୍ୟ ଗତ ଜୁନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ବ୍ୟାପକ ନିଶା କାରବାର ହେଉଥିବା ଏବଂ ଅଧିକାଂଶ ବଲିଉଡ କଳାକାର ନିଶା ସେବନ କରୁଥିବା ସମ୍ପର୍କରେ ଏନ୍‌ସିବି ଅଧିକାରୀଙ୍କୁ ପ୍ରମାଣ ମିଳିଥିଲା । ଏହି ସୂଚନାକୁ ଆଧାର କରି ଏନ୍‌ସିବି ପକ୍ଷରୁ ନିକଟ ଅତୀତରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍‌, ଅର୍ଜୁନ ରାମପାଲ ଓ ଦୀପିକା ପଦ୍ୟୁକୋନଙ୍କ ସମେତ ଏକାଧିକ କଳାକାରଙ୍କୁ ଜେରା କରାଯାଇ କେତେକଙ୍କୁ ଗିରଫ ମଧ୍ୟ କରାଯାଇଛି ।

Spread the love