ହଟ୍ଟଗୋଳ ମଧ୍ୟରେ ପଂଚାୟତରାଜ ବିଭାଗ ର ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ପାରିତ

  • ଅନ୍ୟାନ୍ୟ ୩୮ଟି ସରକାରୀ ବିଭାଗ ଗୁଡ଼ିକର ଖର୍ଚ୍ଚଦାବୀ ଗିଲୋଟିନ ଦ୍ୱାରା ଗୃହୀତ

ଭୁବନେଶ୍ୱର : ବିରୋଧି ଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷର ପଂଚାୟତରାଜ ବିଭାଗ ପାଇଁ ଗୃହରେ ଆଗତ ହୋଇଥିବା ୨ ହଜାର ୪୬ କୋଟି ୧୧ ଲକ୍ଷ ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ବିଧିବଦ୍ଧ ଭାବେ ଆଲୋଚନା ହୋଇ ଗୃହୀତ ହେଲା ପରେ ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ଅନ୍ୟାନ୍ୟ ୩୮ଟି ସରକାରୀ ବିଭାଗ ଗୁଡ଼ିକର ଖର୍ଚ୍ଚଦାବୀ ଗିଲୋଟିନ ଦ୍ୱାରା ଅପରାହ୍ନ ୪ଟା ୩୦ରେ ଗୃହୀତ ହୋଇଥିଲା । ଅବକାରୀ, ଇସ୍ପାତ- ଖଣି, ସାଧାରଣ ଅଭିଯୋଗ, ଯୋଜନା ସଂଯୋଜନା ବିଭାଗ ପାଇଁ ପ୍ରଥମ ଅତିରିକ୍ତ ବଜେଟରେ ଅର୍ଥର ବ୍ୟବସ୍ଥା ନ ଥିଲା ।
ଏହି ଆଲୋଚନାରେ ମୁଖ୍ୟ ବିରୋଧି ବିଜେପି ଦଳ ଅଂଶ ଗ୍ରହଣ କରିନଥିଲା ବେଳେ କଂଗ୍ରେସ ଦଳର ସଦସ୍ୟ ମାନେ ଅଂଶ ଗ୍ରହଣ କରି ସେମାନଙ୍କର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ପରି ହତ୍ୟାକାଣ୍ଡ ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବି ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନଥିବା ହେତୁ ହଟ୍ଟଗୋଳ ଲାଗି ରହିଥିଲା । ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କର ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଖର୍ଚ୍ଚ ଦାବି ଆଗତ କରିଥିଲେ । ଆଲୋଚନାର ଉତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ପରିପୂରଣ ନିମନ୍ତେ ୧ ହଜାର ୫୧୪ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବିତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନା ପାଇଁ ଆର୍ଥିକ ବର୍ଷରେ ୬ ଲକ୍ଷ ୮୯ ହଜାର ୯୯୦ ପକ୍କା ଘର ନିର୍ମାଣ ନିମନ୍ତେ ୩ ହଜାର ୯୬୨ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଅଦ୍ୟାବଧି ୪ ହଜାର ୩୬୬.୩୫ କୋଟି ଟଙ୍କା (ସ୍ୱଚ୍ଛ ଭାରତ ମିଶନ ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫ ଶହ କୋଟି ଟଙ୍କା ପୁନର୍ବିନିଯୋଗ ସମେତ) ର ବ୍ୟୟ ବରାଦ କରାଯାଇଛି । ତନ୍ମଧ୍ୟରୁ ୨ ଲକ୍ଷ ୧୫ ହଜାର ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ ପୂରଣ ପାଇଁ ଉପରୋକ୍ତ ୧୫୧୪ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ଦାଦନ ପ୍ରବଣ ଜିଲ୍ଲା ମାନଙ୍କରେ ଏହି ଆର୍ଥିକ ବର୍ଷରେ ଶ୍ରମ ଅଟକଳ ୧୪.୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ୭୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବିତ ହୋଇଛି । ଜାତୀୟ ଗ୍ରାମୀଣ ଜିବୀକା ମିଶନ ଯୋଜନା ଅନ୍ତର୍ଗତ ଅତିରିକ୍ତ ଆବଶ୍ୟକତାକୁ ପରିପୂରଣ ନିମନ୍ତେ ୮.୯୧ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରାଯାଇଛି । ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ ଟୋକନ ଭାବରେ ପ୍ରବର୍ତିତ ହୋଇଛି । ଚଳିତ ଆର୍ଥିକ ବର୍ଷ ଅତିରିକ୍ତ ବଜେଟରେ ବଲାଙ୍ଗୀର ଓ ପୁରୀ ଜିଲ୍ଲାରୁ ପିଠା ଉପଯୋଜନା ଅନ୍ତର୍ଗତ ବ୍ୟୟ ହୋଇନଥିବା ଅର୍ଥରାଶୀ ପ୍ରତ୍ୟାର୍ପଣ ଦ୍ୱାରା ୧୮.୪୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀଙ୍କ ଉତର ପରେ ସମ୍ପୃକ୍ତ ବିଭାଗୀୟ ଖର୍ଚ୍ଚ ଦାବିଟି ଗୃହୀତ ହୋଇଥିଲା । ଏହି ଆଲୋଚନାରେ କଂଗ୍ରେସ ପକ୍ଷରୁ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡ଼ି ପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ନରସିଂହ ମିଶ୍ର, ସ୍ମୃତି ରଂଜନ ଘଡ଼େଇ, ଲତିକା ପ୍ରଧାନ ଅଂଶ ଗ୍ରହଣ କରିଥିଲେ ।

Spread the love