ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବାହାରିଲେ ଲାରା

ମୁମ୍ବାଇ : ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳରେ ଗତ ଆଇପିଏଲ୍‌ର ତିନିଟି ସଂସ୍କରଣରେ ବେଶ୍ ପ୍ରଭାବିତ କରିଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ୍ କରାଯିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ୱେଷ୍ଟ୍‌ଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା । ଆଇପିଏଲ୍‌ର ଗତ ସଂସ୍କରଣରେ ୧୪୫ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ୪୮୦ ରନ୍ କରିଥିବା ସୂର୍ଯ୍ୟଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ କରାନଯିବାକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ସୂର୍ଯ୍ୟଙ୍କ ସପକ୍ଷରେ ବାହାରି ଲାରା କହିଛନ୍ତି ଯେ ବର୍ତ୍ତମାନର ଟିମ୍ ଇଣ୍ଡିଆରେ ସୀମିତ ଓଭର୍ ବିଶିଷ୍ଟ ମ୍ୟାଚ୍ ସକାଶେ ସୂର୍ଯ୍ୟଙ୍କୁ ସାମିଲ୍ କରିବାର ଥିଲା । ନିୟମିତ ଭାବେ ରନ୍ କରିବା ସହ ସୂର୍ଯ୍ୟଙ୍କ ରନ୍ ସଂଗ୍ରହ କରିବାର ତରିକାରେ ସେ ବେଶ୍ ପ୍ରଭାବିତ ହୋଇଛନ୍ତି । ସୂର୍ଯ୍ୟ ଜଣେ ଚମତ୍କାର ଖେଳାଳି । ସେ କେବଳ ଯେ ରନ୍ କରୁଛନ୍ତି ତା\’ ନୁହେଁ । ତାଙ୍କର ଟେକ୍‌ନିକ୍‌, ଚାପ ବହନ କରିବାର କ୍ଷମତା ଆଦି ମଧ୍ୟ ବେଶ୍ ପ୍ରଭାବଶାଳୀ । ତା\’ଛଡ଼ା ମୁମ୍ବାଇ ପାଇଁ ସେ ନିୟମିତ ଭାବେ ୩ୟ ସ୍ଥାନରେ ବ୍ୟାଟିଂ କରି ସଫଳ ହୋଇଥିବାରୁ ଟିମ୍ ଇଣ୍ଡିଆ ପାଇଁ ବି ସମାନ ଭୂମିକା ତୁଲାଇପାରିବାର କ୍ଷମତା ରଖନ୍ତି ବୋଲି ଲାରା କହିଛନ୍ତି ।

Spread the love