‘ସୁନ୍ଦରୀ’ର ଶେଷ ବିକଳ୍ପ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସୁନ୍ଦରୀର ଭାଗ୍ୟ ଦୁଇ ବର୍ଷ ଧରି ଏହି ଆବଦ୍ଧ ଅଞ୍ଚଳରେ ନିଃସଙ୍ଗତାରେ ସୀମିତ ହୋଇ ରହିଯାଇଛି । ତା’ର ଜଙ୍ଗଲୀ ପ୍ରବୃତ୍ତି ପରିବର୍ତ୍ତିତ ହୋଇଛି ଏବଂ ସହଜରେ ମିଳୁଥିବା ଖାଦ୍ୟ ପ୍ରତି ସେ ଅଧିକ ନିର୍ଭରଶୀଳ ହୋଇସାରିଛି । ଏହି ପରିସ୍ଥିତିରେ ତାକୁ ପୁଣିଥରେ ଜଙ୍ଗଲରେ ଛାଡ଼ିବା ନେଇ ହେଉଥିବା ବିତର୍କ ଏପର୍ଯ୍ୟନ୍ତ ଓଡ଼ିଶା, ମଧ୍ୟପ୍ରଦେଶ, ଏନ୍‌ଟିସିଏ ଏବଂ ନ୍ୟାୟାଳୟ ମଧ୍ୟରେ ସୀମିତ ହୋଇ ରହିଛି । ମଧ୍ୟପ୍ରଦେଶରୁ ବ୍ୟାଘ୍ର ସ୍ଥାନାନ୍ତରଣର ଲକ୍ଷ୍ୟ ସାଧିତ ହୋଇପାରିଲା ନାହିଁ । କିନ୍ତୁ ସୁନ୍ଦରୀ ପାଖରେ ପ୍ରଜନନ ମାଧ୍ୟମରେ ବଂଶ ବିସ୍ତାରର ସମ୍ଭାବନା ଭରି ରହିଛି । ଜଙ୍ଗଲରେ ତାକୁ ପୁଣିଥରେ ମୁକ୍ତ କଲେ ଗୃହପାଳିତ ପଶୁ ଓ ମଣିଷ ପରି ସହଜ ଲବ୍ଧ ଶିକାର ପ୍ରତି ତା\’ର ଆଶକ୍ତିର ପୁନରାବୃତ୍ତି ଘଟିପାରେ । ଏସବୁ ଦୃଷ୍ଟିରୁ ସୁନ୍ଦରୀ ପାଇଁ ଶେଷ ବିକଳ୍ପ ହୋଇପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏହାର ସ୍ଥାନାନ୍ତରଣ ଓ ପ୍ରଜନନ କ୍ଷମତା ହାସଲ କରିଥିବା । ସୁନ୍ଦରୀ ଏଠାରେ ବାଘ ସଂଖ୍ୟା ବୃଦ୍ଧିରେ ନିଶ୍ଚିତ ଯଥେଷ୍ଟ ସହାୟକ ହେବ ଓ କର୍ତ୍ତୃପକ୍ଷ ଏହାକୁ ଗମ୍ଭୀରତାର ସହ ବିଚାର କରିବା ନିମନ୍ତେ ଓଡ଼ିଶା ପରିବେଶ ସମିତି ମତ ପୋଷଣ କରିଛି ।

ସୁନ୍ଦରୀ ବାଘୁଣୀ ଭାରତବର୍ଷରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ଇତିହାସ ସୃଷ୍ଟି କରିପାରିଥା’ନ୍ତା, ଯଦି ଏହା ସାତକୋଶିଆ ଜଙ୍ଗଲରେ ନିଜର ବାସସ୍ଥଳୀ ସ୍ଥାପନ କରି ଖାପଖୁଆଇ ରହିବାରେ ସଫଳତା ହାସଲ କରିଥା’ନ୍ତା । ୨୦୧୮ ଜୁନ୍‌ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ବାଘ ଏବଂ ବାନ୍ଧବଗଡ଼ରୁ ସୁନ୍ଦରୀକୁ ଅଣାଯାଇ ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡ଼ାଯିବା ବ୍ୟାଘ୍ର ବଂଶର ସୁରକ୍ଷା ଏବଂ ପ୍ରସାରଣ ନିମନ୍ତେ ଏକ ସମୟୋପଯୋଗୀ ପଦକ୍ଷେପ ଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ ଡେରାଡୁନସ୍ଥ ବନ୍ୟଜୀବ ପ୍ରତିଷ୍ଠାନର ସହଯୋଗରେ ରାଜ୍ୟ ବନବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ଜନସାଧାରଣଙ୍କ ଅଂଶଗ୍ରହଣର ଅଭାବ ଏବଂ ଅନ୍ୟ କେତେକ ତ୍ରୁଟିବିଚ୍ୟୁତି ଫଳରେ ସଫଳତା ହାସଲରୁ ଦୂରେଇ ଯାଇଥିଲା । ଜଙ୍ଗଲାଞ୍ଚଳରେ ମହାବୀର ସହ ସମ୍ପର୍କ ସ୍ଥାପନ ନ ହେବା ଓ ପରେ ପରେ ଶିକାର ଫାଶରେ ତା’ର ଅପ୍ରତ୍ୟାଶିତ ମୃତ୍ୟୁ ଘଟିବା ଏବଂ ଦୁଇଜଣ ମଣିଷ ତଥା କିଛି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟଣାରେ ସୁନ୍ଦରୀର ସମ୍ପୃକ୍ତି ଅଭିଯୋଗ ଏହି ପ୍ରକଳ୍ପର ନୈରାଶ୍ୟଜନକ ବିଫଳତାର କାରଣ ପାଲଟିଲା । ଏସବୁର ପରିଣାମ ସ୍ୱରୂପ ସୁନ୍ଦରୀକୁ ନିଶ୍ଚେତକ ବ୍ୟବହାର ଦ୍ୱାରା ପୁଣି ରାଇଗୁଡ଼ାସ୍ଥ ଆବଦ୍ଧ ଅଞ୍ଚଳକୁ ଫେରାଇ ଅଣାଗଲା । ସମୟର ଆହ୍ୱାନ ଥିଲା ପୁଣି ଏକ ପୁରୁଷ ବାଘ ଅଣାଯାଇ ସାତକୋଶିଆର କେନ୍ଦ୍ରାଞ୍ଚଳରେ ଛାଡ଼ି ଯୋଜନାକୁ ଆଗକୁ ନେବା ଏବଂ ପ୍ରଜନନ ମାଧ୍ୟମରେ ଓଡ଼ିଶାରେ ବାଘ ସଂଖ୍ୟାରେ ବୃଦ୍ଧି ଘଟାଇବା । ଦେଶର ଅନ୍ୟ ରାଜ୍ୟମାନଙ୍କରେ ବାଘ ସଂଖ୍ୟାରେ ବୃଦ୍ଧି ଘଟୁଥିଲାବେଳେ ଓଡ଼ିଶାରେ ଏହା ମାତ୍ର ୨୮ରେ ହିଁ ବିଗତ ଚାରି ବର୍ଷ ମଧ୍ୟରେ ସ୍ଥିର ହୋଇ ରହିଛି । କିନ୍ତୁ ପ୍ରଶାସନ ହାତେ ମାପି ଚାଖଣ୍ଡେ ଚାଲିବା ନୀତିକୁ ଶ୍ରେୟ ମଣିଲେ, ଯେଉଁଥିପାଇଁ ସୁନ୍ଦରୀ ନିଃସଙ୍ଗ ହୋଇ ରହିଛି ।

Spread the love