ସୀମା ବିବାଦ ପ୍ରସଂଗ : ସ୍ଥାୟୀ ସମାଧାନ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି

ଭୁୁବନେଶ୍ୱର : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ କୋଟିଆ ଗ୍ରାମ ପୁଂଜକୁ ନେଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହିତ ଥିବା ସୀମା ବିବାଦର ଆପାତତଃ ସମାଧାନ ହୋଇଛି । ସ୍ଥାୟୀ ସମାଧାନ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ତେଣୁ ଏହି ପ୍ରସଂଗରେ ସରକାର ଆଦୌ ନୀରବ ଦ୍ରଷ୍ଟା ନୁହଁନ୍ତି ବୋଲି ବିଧାନ ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି । ବିରୋଧୀ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗରେ ଗୃହ କମିିଟି ଗଠନ କରିବାକୁ ଦାବି କରିଥିଲେ । ଆଜି ବିଧାନ ସଭାରେ ସୀମା ବିବାଦ ପ୍ରସଂଗରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ବିଜେପି ସଭ୍ୟ ମୋହନ ମାଝୀ, ବିଷ୍ଣୁ ଚରଣ ସେଠୀ ଏବଂ କେ. ନାରାୟଣ ରାଓ କହିଥିଲେ ଯେ, ସୀମା ବିବାଦ ବହୁ ପୁରାତନ ହୋଇଥିଲେ ବି ବର୍ତମାନ ସମୟରେ ତାହା ଗୁରୁତର ହୋଇଛି । ସରକାର ଠୋସ୍ ପଦକ୍ଷେପ ନେଉନାହାନ୍ତି । ଯାହା ଫଳରେ ରାଜ୍ୟର ବହୁ ଅଂଚଳରେ ସରକାରଙ୍କ କର୍ତୃତ୍ୱ ରହୁନାହିଁ । ବିଜେପି ବିଧାୟକ ମୋହନ ମାଝୀ କହିଥିଲେ ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ସଂପୃକ୍ତ ପଡୋଶୀ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରନ୍ତୁ ।
ଦୃଷ୍ଟି ଆକର୍ଷଣ ନୋଟିସ ମାଧ୍ୟମରେ ବିଜେଡ଼ି ସଭ୍ୟ କିଶୋର ମହାନ୍ତି, ଅଶ୍ୱିନୀ ପାତ୍ର, ପିତମ ପାଢ଼ୀ ଓ ଦେବେଶ ଆଚାର୍ଯ୍ୟ କହିଥିଲେ ଯେ, ପଡ଼ୋଶୀ ରାଜ୍ୟ ମାନଙ୍କ ସହିତ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହୋଇପାରିବ । ରାଜସ୍ୱ ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ଉତରେ କୋଟିଆ ଗ୍ରାମ ପୁଂଜ ୨୧ ଗୋଟି ଗ୍ରାମକୁ ନେଇ ଗଠିତ । ତାହା ଓଡ଼ିଶା ସରକାରଙ୍କ ଅଧିନରେ ଅଛି । ସେଠାରେ ରାଜ୍ୟ ସରକାର ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ରାସ୍ତାଘାଟ ସହିତ ପଂଚାୟତ ଅଫିସ୍‌, ରାଜସ୍ୱ ନିରୀକ୍ଷକ ଅଫିସ, ଜଳ ଯୋଗାଣ ଅଫିସ୍‌, ସ୍କୁଲ, ଥାନା ଆଦି ସ୍ଥାପନ କରାଯାଇଛି । ଖୁବ୍ ଶୀଘ୍ର ସେଠାରେ ଡାକ୍ତର ନିଯୁକ୍ତି ପାଇବେ । ଏଥି ମଧ୍ୟରେ ସେହି ଅଂଚଳରେ ବସବାସ କରୁଥିବା ୨୧୭୦ ଆଦିବାସୀ ପରିବାରକୁ ଜଙ୍ଗଲ ଜମି ଅଧିକାର ଆଧାରରେ ଜମି ପଟ୍ଟା ଦିଆଯାଇଛି । ୧୬୨୭ ଜଣଙ୍କୁ ଆଧାର କାର୍ଡ଼ ପ୍ରଦାନ କରାଯାଇଛି । ଏହା ଛଡ଼ା ପଶ୍ଚିମବଂଗ ସହିତ ଓଡ଼ିଶାର ୯ଟି ଗ୍ରାମକୁ ନେଇ ସୀମା ବିବାଦ ରହିଛି । ଏହାର ସମାଧାନ ପାଇଁ ଗତ ବର୍ଷ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସେଠାରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ମୁତାବକ ସୀମା ନିର୍ଦ୍ଧାରଣ ହେବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଥିଲେ । ଏହି ମୁଲତବୀ ଆଲୋଚନା ବେଳେ ଅଂଶଗ୍ରହଣ କରିବା ପାଇଁ କଂଗ୍ରେସ ସଭ୍ୟ ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନଥିବା ଅଭିଯୋଗ କରି ସମସ୍ତେ କକ୍ଷ ତ୍ୟାଗ କରିଥିଲେ ।

Spread the love