ସାଢ଼େ ୪ ମାସରେ ଗାଙ୍ଗୁଲିଙ୍କ ୨୨ କୋଭିଡ୍ ଟେଷ୍ଟ୍‌

କୋଲକାତା : ଗତ ସାଢ଼େ ୪ ମାସରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ଦାୟିତ୍ୱ ତୁଲାଇବା ଅବସରରେ ୨୨ ଥର କୋଭିଡ୍ ଟେଷ୍ଟ୍‌ର ସମ୍ମୁଖୀନ ହୋଇଛନ୍ତି । ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣର ଆୟୋଜନ ନେଇ ଗାଙ୍ଗୁଲି ବିଶେଷ ଭାବେ ତତ୍ପରତା ପ୍ରକାଶ କରିଥିଲେ । ଏକଦା ଅସମ୍ଭବ ପରି ମନେ ହେଉଥିବା ଆଇପିଏଲ୍ ତାଙ୍କ ପ୍ରଚ୍ଛନ୍ନ ଉଦ୍ୟମ ବଳରେ ହିଁ ସଫଳତା ପୂର୍ବକ ଆୟୋଜିତ ହୋଇଥିଲା । ତେବେ ଆଇପିଏଲ୍‌ର ଆୟୋଜନ ପରିପ୍ରେକ୍ଷୀରେ ଗାଙ୍ଗୁଲିଙ୍କର ୨୨ ଥର କୋଭିଡ୍ ଟେଷ୍ଟ୍ ହୋଇଛି । ଏକାଧିକ ଗସ୍ତ କରିଥିବାରୁ ତାଙ୍କୁ ଏହି କୋଭିଡ୍ ଟେଷ୍ଟ୍ କରାଇବାକୁ ପଡ଼ିଥିଲା । ୨୨ ଥର ଟେଷ୍ଟ୍‌ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଥରଟିଏ ବି ତାଙ୍କ ନମୁନା ପଜିଟିଭ୍ ଆସିନାହିଁ ବୋଲି ଗାଙ୍ଗୁଲି ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, ଘରେ ବୃଦ୍ଧ ପିତାମାତା ରହୁଥିବା ବେଳେ ମୁଁ ଦୁବାଇ ଗସ୍ତ କରିଥିଲି । ପ୍ରାଥମିକ ପର୍ଯ୍ୟାୟରେ କୋଭିଡ୍ ସଂକ୍ରମଣ ନେଇ ମୁଁ ବେଶ୍ ଭୟଭୀତ ହୋଇପଡ଼ିଥିଲି । ଅବଶ୍ୟ ମୋର ସ୍ୱାସ୍ଥ୍ୟ ନେଇ ମୁଁ ଆଦୌ ବ୍ୟସ୍ତ ହୋଇ ନ ଥିଲି । କିନ୍ତୁ ଅଜାଣତରେ ଅନ୍ୟ କାହାକୁ ଯେପରି ସଂକ୍ରମଣ ନ ହୁଏ, ସେଥିପାଇଁ ବାରମ୍ବାର କୋଭିଡ୍ ଟେଷ୍ଟ୍ କରାଇଥିବା ଗାଙ୍ଗୁଲି କହିଛନ୍ତି ।

Spread the love