ଶ୍ରୀ କୃଷ୍ଣଙ୍କ ନଟବର ବେଶ ଓ ମା ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନରୁ ବଂଚିତ ଭକ୍ତ

  • ପବିତ୍ର ଅଁଳା ନବମୀ ; ସାକ୍ଷିଗୋପାଳ ମନ୍ଦିରର ୨୦୦ ମିଟର ପରିଧି ମଧ୍ୟରେ ୧୪୪

ସାକ୍ଷିଗୋପାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପବିତ୍ର ଅଁଳା ନବମୀରେ ପୁରୀ ଜିଲ୍ଲାର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷିଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଫଳରେ ଶ୍ରୀ କୃଷ୍ଣଙ୍କ ଦୁର୍ଲ୍ଲଭ ନଟବର ବେଶ, ମା ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ରାଧାଙ୍କ ପାଦ ଦର୍ଶନରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । ବିଳମ୍ବିତ ରାତିରେ ମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ ଆଦି ନୀତି ସମ୍ପନ୍ନ ହୋଇଛି । ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସେବାପୂଜା ଓ ଠାକୁରଙ୍କ ଅନ୍ୟାନ୍ୟ ନୀତି କାନ୍ତି ସମାପନ କରୁଛନ୍ତି ।
ସେହିପରି ପ୍ରଶାସନ ପକ୍ଷରୁ ଗତକାଲି ମଧ୍ୟରାତ୍ରରୁ ଅର୍ଥାତ୍ ୨୨ ତାରିଖ ଠାରୁ ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସାକ୍ଷିଗୋପାଳ ମନ୍ଦିରର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରୀ କରାଯାଇଛି । ଚନ୍ଦନପୋଖରୀ ଠାରୁ ସିଦ୍ଧବକୂଳ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଶ୍ରୀ କୃଷ୍ଣଙ୍କ ନଟବର ବେଶ ଓ ମା ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ମା’ ରାଧାଙ୍କ ପାଦ ଦର୍ଶନ ପାଇଁ ଏଠାରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ବିଶେଷ ଦିନରେ ପରମ୍ପରା ଅନୁସାରେ, ଶ୍ରୀକୃଷ୍ଣଙ୍କୁ ସୁବର୍ଣ୍ଣମୁକୁଟ, ବଂଶୀ, କୁଣ୍ଡଳ, ହୀରା, ମୋତି ଆଦିରେ ବିଭୂଷିତ ପୂର୍ବକ ନଟବର ବେଶରେ ସଜ୍ଜିତ କରାଯାଇଥାଏ । ସେହିପରି ଶ୍ରୀରାଧାଙ୍କୁ ସୁବର୍ଣ୍ଣ କିରଟୀ, ପାଉଁଜି, ଅଁଳା ମାଳ, ପୋହଳା ମାଳ, ନାକରେ ଗୁଣା, ଗଳାରେ ଚନ୍ଦ୍ରହାର, ଅଂଟାରେ ଶିକୁଳି, ହାତରେ ଖଡ଼ୁ ସାଙ୍ଗକୁ ପାଦରେ ନୁପୂର ଏବଂ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷଣ ପୂର୍ବକ ଓଡ଼ିଆଣୀ ବେଶରେ ସଜ୍ଜିତ କରିଥାନ୍ତି ମେକାପ ସେବାୟତ ମାନେ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁ ମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଂଚିତ ରହିଛନ୍ତି ।

Spread the love