ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ

  • ଆସନ୍ତାକାଲି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ 

ପୁରୀ : ଶ୍ରୀକ୍ଷେତ୍ରରେ ଶୁକ୍ରବାର ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ । ଯୋଦ୍ଧା ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜଗନ୍ନାଥ ଓ ବଳଭଦ୍ର । ସେହିପରି ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହୋଇଛନ୍ତି ମା ସୁଭଦ୍ରା । ଷୋହଳ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି ଶ୍ରୀ ଜୀଉମାନେ । ତେବେ ସିଂହାରୀ, ଖୁଂଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ବେଶ ପାଇଁ ଉଦ୍ଦିଷ୍ଟ ସ୍ୱର୍ଣ୍ଣ ଅଳଙ୍କାର ମଣତିରେ ବିଳମ୍ବ ଓ ଅଧିକ ସେବାୟତ ନିୟୋଜିତ ହେବା ନେଇ ବିବାଦ କାରଣରୁ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଏହି ବେଶ ଆରମ୍ଭ ହୋଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା । ସକାଳ ୭ଟାରେ ବେଶ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ରେ ବେଶ ଶେଷ ହୋଇଥିଲା । ଜିଲ୍ଲାପାଳ ବଲୱନ୍ତ ସିଂହ ଏନେଇ ସୂଚନା ଦେଇ କହିଛନ୍ତି ଯେ, ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଶେଷ ହୋଇଛି । ତେବେ ସେବାୟତଙ୍କ ସଂଖ୍ୟା ଓ ବେଶ ପାଇଁ ଉଦ୍ଦିଷ୍ଟ ସୁନା ଅଳଙ୍କାର ମଣତି ନେଇ ବିଳମ୍ବ ହୋଇଥିଲା । ଆଲୋଚନା ପରେ ସାମାନ୍ୟ ବିଳମ୍ବରେ ଏହି ଦୁର୍ଲ୍ଲଭ ବେଶ ଶେଷ ହୋଇଛି । ଅନ୍ୟପକ୍ଷରେ ସହଯୋଗ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜିର ଏହି ବିଶେଷ ତିଥିରେ ପ୍ରଥମେ ୨ଟା ୪୫ ରେ ଦ୍ୱାରଫିଟା, ଭିତର ଶୋଧ ୩ଟା ୨୫, ଭୋର୍ ୩ଟା ୩୫ ରେ ମଙ୍ଗଳଆଳତୀ, ୩ଟା ୪୦ରେ ମଇଲମ, ଭୋର୍ ୪ଟାରେ ତଡ଼ପ ଲାଗି, ଅବକାଶ, ପୂଜା ଶେଷ ୪ଟା ୩୫ ରେ ହୋଇଥିଲା । ସେହିପରି ସକାଳ ୭ଟାରେ ବେଶ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ରେ ବେଶ ଶେଷ ହୋଇଥିଲା । ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ହେଲେ ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସାଧାରଣ ଭକ୍ତ ୨୫ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ଦୁର୍ଲଭ ଦର୍ଶନରୁ ବଂଚିତ ରହିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ବାହାରେ ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରଦ୍ଧାଳୁ ଆସି ଶ୍ରୀଜୀଉଙ୍କ ପତିତପାବନ ଦର୍ଶନ କରି ଭାବବିନୋଦିଆ କଳା ଠାକୁରଙ୍କୁ ମନର ବ୍ୟଥା ଓ ହୃଦୟରୁ ଭକ୍ତିପୂତ ପ୍ରଣାମ ଜଣାଇ ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ରାତି ୨ଟାରୁ ୧୪୪ ଧାରା ଜାରୀ କରାଯାଇଛି । ଶ୍ରୀମନ୍ଦିରର ଚାରି ଦ୍ୱାରରେ ସ୍ୱତନ୍ତ୍ର ବାରିକେଡ୍ ସହ ଶ୍ରୀମନ୍ଦିରରେ ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ରହିଛନ୍ତି । ୭୫ ଜଣ ପୁଲିସ ଅଧିକାରୀ, ୭ ଜଣ ଡିଏସପି, ୨ ଜଣ ଅତିରିକ୍ତ ଏସପି ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ଅନ୍ୟପକ୍ଷରେ ଧର୍ମ ମାସ ପବିତ୍ର କାର୍ତିକ ମାସରେ ଚଳିତ ବର୍ଷ ପଚୁଂକ ୫ ଦିନ ପରିବର୍ତେ ୬ ଦିନ ପଡିଛି । ଏହି ବିଶେଷ ତିଥିରେ ଶ୍ରୀଜୀଉ ମାନେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶ ହେବାର ପରମ୍ପରା ରହିଛି । ଏହି କ୍ରମରେ ପଚୁଂକର ତୃତୀୟ ଦିବସରେ ଆଜି ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି । ସେହିପରି ଆସନ୍ତାକାଲି ତ୍ରିବିକ୍ରମ ବେଶ । ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ । ଏବଂ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ତେବେ ପ୍ରଶାସନିକ କଟକଣା ପାଇଁ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଏସବୁ ବେଶ ଦର୍ଶନରୁ ବଂଚିତ ରହିବେ । କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସେବା ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ, ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଓ ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥିଲା ।

ସୂଚନା ଯେ, ନାଗାର୍ଜ୍ଜୁନ ବେଶରେ ଷୋଳକଳା ସଂପନ୍ନ କଳାଠାକୁର ଷୋଳପ୍ରକାର ଅସ୍ତ୍ରଶସ୍ତ୍ର ଧରି ବୀରବେଶରେ ସଜ୍ଜିତ ହୋଇଥାନ୍ତି । ପୁରାଣରେ ବର୍ଣ୍ଣିତ ରହିଛି ଏହି ବେଶରେ ପର୍ଶୁରାମ ସହସ୍ରାର୍ଜୁନଙ୍କୁ ବଦ୍ଧ କରିଥିଲେ । ଏହି ସ୍ମୃତି ରକ୍ଷା କରିବା ପାଇଁ ଏହି ବେଶ କରାଯାଉଛି ବୋଲି କଥିତ ଅଛି । ଯେଉଁବର୍ଷ କାର୍ତିକ ମାସରେ ପଚୁଂକ ୬ ଦିନ ପଡିଥାଏ ସେହି ବର୍ଷ ମଳତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ପ୍ରଭୁଙ୍କ ଷୋଳପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟରେ ବାଙ୍କଛୁରୀ, କଟାରୀ, ରଞ୍ଜକଦାନି, ସିଙ୍ଗଡା, ସିଙ୍ଘା, ଖଣ୍ଡା, ଢାଲ, ତ୍ରିଶୂଳ, ତେଂଟା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧାରଣ କରିବେ । ରତ୍ନ ଭଣ୍ଡାରରୁ ସୁନାର ଶଙ୍ଖ, ଚକ୍ର, ପଦ୍ମ ଅଣାଯାଇ ଶ୍ରୀ ଜୀଉଙ୍କୁ ଲାଗି କରାଯାଇଥାଏ । ନାଗାର୍ଜୁନ ସାଜ ପାଇଁ ବେତ, ବାଉଁଶ, ସୋଲ, ଜରି, ଜମ୍ବୁରା ଓ କନା ବ୍ୟବହାର କରାଯାଇଥାଏ । ନାଗାର୍ଜୁନ ବେଶ ୧୯୬୬ ମସିହା ନଭେମ୍ବର ୨୬, ୧୯୬୭ ନଭେମ୍ବର ୧୬, ୧୯୬୮ ମସିହା ନଭେମ୍ବର ୩ ଲଗାତାର ତିନିବର୍ଷ ପଡିଥିଲା । ସେହିପରି ୧୯୯୩ ନଭେମ୍ବର ୨୬, ୧୯୯୪ ନଭେମ୍ବର ୧୬ରେ ଦୁଇବର୍ଷ ଲଗାତାର ପଡିଥିଲ।। ଚଳିତବର୍ଷ ନଭେମ୍ବର ୨୭ ନାଗାର୍ଜୁନ ବେଶ ହେଉଥିବା ବେଳେ ଆସନ୍ତାବର୍ଷ ଏହି ବେଶ ପଡିବ ବୋଲି କୁହାଯାଉଛି । ୧୯୯୬ ମସିହାରେ ନବକଳେବର ପଡିଥିବା ବେଳେ ୨୦୧୫ରେ ନବକଳେବର ପଡିଥିଲା । ଏହି ସମୟରେ ଥିବା ପୁରୁଣା ବିଗ୍ରହଙ୍କୁ ନାଗାର୍ଜୁନ ବେଶ କରାଯାଇପାରିନଥିଲା । ହେଲେ ଚଳିତ ବର୍ଷ ୨୫ ବର୍ଷ ପରେ ପଡିଛି ନାଗାର୍ଜୁନ ବେଶ ।

Spread the love