ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

  • ବ୍ୟୟ ମଂଜୁରୀ ବିଲ ପାରିତ ହେବା ପରେ ପାରିତ ହେଲା ପ୍ରସ୍ତାବ

ଭୁବନେଶ୍ୱର : ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ୪୦ ଦିନିଆ ଶୀତକାଳୀନ ଅଧିବେଶନ ଦଶ ଦିନ ଚାଲିବା ପରେ ଆଜି ଅନିର୍ଦିଷ୍ଟ କାଳ ପାଇଁ ଗୃହକୁ ବନ୍ଦ କରି ଦିଆ ଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ ଅପରାହ୍ନ ୪.୪୧ ମିନିଟରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ବ୍ୟୟ ମଂଜୁରୀ ବିଲ ପାରିତ ହେବା ପରେ ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକ ଗୃହକୁ ଅନିଶ୍ଚିତକାଳ ଯାଏ ମୁଲତବୀ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ ଯେହେତୁ ସରକାରଙ୍କର କୌଣସି କାର୍ଯ୍ୟ ନାହିଁ ତେଣୁ ଗୃହକୁ ଆଗକୁ ମୁଲତବୀ ରଖା ଯାଉ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଅଶ୍ୱିନୀ ପାତ୍ର, ପ୍ରୀତିରଂଜନ ଘଡାଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ସମର୍ଥନ କରିଥିଲେ । ସେହିପରି ତାରା ପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ବାଚସ୍ପତି ଗୃହକୁ ମୁଲତବୀ କଲା ବେଳେ କହିଥିଲେ ଯେ ଏହି ଅଧିବେଶନ କାଳରେ ୧୩୩୨ଟି ଅଣତାରକା ଚିହ୍ନିତ ପ୍ରଶ୍ନ ଗ୍ରହଣ କରା ଯାଇଥିବା ବେଳେ ୧୧୯୨ଟି ପ୍ରଶ୍ନର ଉତର ଉପସ୍ଥାପନା କରା ଯାଇଥିଲା । ୨ଟି ମୁଲତବୀ ପ୍ରସ୍ତାବ, ଗୋଟିଏ ପ୍ରସ୍ତାବ, ୭୦ଟି କାଗଜ ଉପସ୍ଥାପନ ଓ ପୂର୍ଣ ଉପସ୍ଥାପନ. ୪ଟି ବାର୍ଷିକ ରିପୋର୍ଟ, ୨ଟି କମିଟି ରିପୋର୍ଟ, ୩ଟି ଅଧ୍ୟାଦେଶ, ୯ଟି ସରକାରୀ ବିଧେୟକ ପ୍ରସ୍ଥାପନ କରା ଯାଇଥିବା ବେଳେ ୩ଟି ବିବୃତି ମନ୍ତ୍ରୀ ମାନେ ଦେଇଥିଲେ । ଗୋଟିଏ ବେସରକାରୀ ବିଧେୟକ ଓ ସଂକଳ୍ପ ଆଲୋଚନା ହୋଇଥିଲା । ରାଜ୍ୟର ପୂର୍ବତନ ପ୍ରଥମ ମହିଳା ସୁଶୀଳା ଦେବୀ, ପୂର୍ବତନ ବାଚସ୍ପତି ଶରତ କର, ଗୁରୁପଦ ନନ୍ଦ, କାର୍ତିକେଶ୍ୱର ପାତ୍ର ଓ କରୋନା ଯୋଦ୍ଧାଙ୍କ ପାଇଁ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ କରା ଯାଇଥିଲା । ଅଧିବେଶନ ଡିସେମ୍ବର ୩୧ ତାରିଖ ଦିନ ଶେଷ ହେବାର ଥିଲା । ମାତ୍ର ୩୦ ଦିନ ପୂର୍ବରୁ ଅଧିବେଶନକୁ ସମାପ୍ତ କରି ଦିଆ ଯିବାକୁ ନେଇ କଂଗ୍ରେସ ଦଳର ସଭ୍ୟ ମାନେ ବିରୋଧ କରିଥିଲେ ହେଁ ଦଳର ନେତା ନରସିଂହ ମିଶ୍ର ତା ପରେ କୌଣସି ନିର୍ଦିଷ୍ଟ ମନ୍ତବ୍ୟ ରଖି ନ ଥିଲେ । ମୁଖ୍ୟ ବିରୋଧୀ ବିଜେପି ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିବାରୁ ସେମାନେ ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ । ଗୃହକୁ ବହୁ ଆଗରୁ ବନ୍ଦ ହେବା ନେଇ କୌଣସି ବିବୃତି ଦେଇ ନ ଥିଲେ ହେଁ ଗୃହ ବାହାରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଆଗରେ ଧାରଣା ଦେବା ସହ ସରକାରଙ୍କର ଏହି ଅଗଣତାନ୍ତ୍ରିକ ନିଷ୍ପତିକୁ ତୀବ୍ର ସମାଲୋଚନା କରିଥିଲେ । ସ୍ୱଳ୍ପକାଳୀନ ପାଇଁ ଅଧିବେଶନ ବସିଥିଲେ ରାଜନୈତିକ ଓ ସାମାଜିକ- ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଅଧିବେଶନ ଖୁବ ଗୁରୁତ୍ୱପୂର୍ଣ ଥିଲା । ଏହି ଅବସରରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସମୁଦାୟ ୧୧ ହଜାର ୭ ଶହ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଗତ କରିଥିଲେ ଓ ଏହା ପାରିତ ହୋଇଥିଲା । ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ପୁଜାରୀ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ଖର୍ଚ ଦାବି ଆଗତ କରିଥିଲେ ଓ ଏହା ଉପରେ ବିଧିବଦ୍ଧ ଆଲୋଚନା ହୋଇ ଗୃହୀତ ହୋଇଥିଲା । ଏହା ବ୍ୟତୀତ ଶୁକ୍ରବାର ଦିନ ୩୮ଟି ବିଭାଗର ଖର୍ଚ ଦାବି ଗିଲୋଟିନ ଦ୍ୱାରା ଗୃହୀତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପରିଚାଳନାଧୀନ ସାଧାରଣ ପ୍ରଶାସନ, ଗୃହ ଓ ରାଜସ୍ୱ ବିଭାଗର ଖର୍ଚ ଦାବି ଉପରେ ଆଲୋଚନା ହୋଇ ପାରି ନ ଥିଲା ।

ଆଇନ ଦୃଷ୍ଟିରୁ ୧୦ଟି ବିଲର ନୋଟିସ ଆସିଥିଲେ ହେଁ ୬ଟି ବିଲ ଉପରେ ଆଲୋଚନା ହୋଇ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା । ଏହା ବ୍ୟତୀତ ୨ଟି ବେସରକାରୀ ବିଲ ଉପସ୍ଥାପନ ହୋଇ ଆଲୋଚନା ହୋଇ ଅସମାପ୍ତ ରହିଥିଲା । ଗୃହୀତ ହୋଇଥିବା ବିଲ ଗୁଡିକ ହେଲା ଓଡିଶା ଅତ୍ୟାବଶ୍ୟକ ସେବା ରକ୍ଷଣା ବେକ୍ଷଣ ସଂଶୋଧନ ବିଲ -୨୦୨୦, ଓଡିଶା ସ୍ଥାନୀୟ ପାଂଠି ସମୀକ୍ଷା ସଂଶୋଧନ ବିଲ -୨୦୨୦, ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ -୨୦୨୦, ଓଡିଶା ଔଦ୍ୟଗିକ ଭିତିଭୂମି ଉନ୍ନୟନ ନିଗମ ସଂଶୋଧନ ବିଲ -୨୦୨୦ , ଚୁକ୍ତି ଭିତିକ ଶ୍ରମିକ ବିଲ-୨୦୨୦, କମ୍ପାନୀ ଓଡିଶା ସଂଶୋଧନ ବିଲ -୨୦୨୦ ଅନ୍ୟତମ । ରାଜ୍ୟରେ ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାକୁ ନେଇ ଗୃହରେ ମୋସନ ଅଣା ଯାଇ ଦିନିକିଆ ଆଲୋଚନା ହୋଇଥିଲା । ରାଜ୍ୟରେ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ନିଷ୍ପତିକୁ ନେଇ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା । ପୁରୀ ଓ ବୀରମିତ୍ରପୁର ଠାରେ ହୋଇଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ ଗୃହରେ ସରଗରମ ଆଲୋଚନା ହୋଇଥିଲା । ନୟାଗଡର ପାଂଚ ବର୍ଷିୟା ବାଳିକା ପରୀର ହତ୍ୟାକାଣ୍ଡକୁ ନେଇ ଗତ ଛଅ ଦିନ ଧରି ଗୃହରେ ଅଚଳାବସ୍ଥା ଜାରୀ ରହିଥିଲା । ସରକାର ଏହି ମାମଲାର ଏସଆଇଟି ଜାଂଚର ନିର୍ଦେଶ ଦେବା ସତ୍ୱେ ବିଜେପି ବିଧାୟକ ମାନେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ରହିଥିଲେ । ବିରୋଧୀ ଦଳବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆସିଥିଲେ ହେଁ ତାହା ଉପରେ ଆଲୋଚନା ହୋଇ ପାରି ନ ଥିଲା ।

Spread the love