ଶିବସେନାରେ ଯୋଗଦେବେ ଉର୍ମିଲା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ଶିବସେନାରେ ଯୋଗଦେବାକୁ ଯାଉଛନ୍ତି । ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଶିବସେନାରେ ଯୋଗଦେବେ । ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମିଳିତ ସରକାର ଉର୍ମିଲା ମାଟୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ସ୍ଥିର କରିଥିଲା । ସରକାର ତାଙ୍କ ନାମ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ନିକଟକୁ ପଠାଇଛି ।
ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟପାଳଙ୍କୁ ୧୨ଜଣଙ୍କ ତାଲିକା ପଠାଇଥିଲା, ଯାହାକୁ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦ ପଠାଯାଇଥିଲା । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡ଼ି ମହାମେଂଟ ରହିଛି । ତିନୋଟି ଯାକ ପାର୍ଟି ଚାରିଜଣ ଲେଖାଏ ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଏନସିପି ଏକନାଥ ଖଡସେ, ରାଜୁ ସେଟ୍ଟୀ, ଯଶପାଲ୍ ଭିଙ୍ଗେ ଓ ଆନନ୍ଦ ଶିନ୍ଦେଙ୍କ ନାଁ ପଠାଇଥିଲା । ସେହିପରି କଂଗ୍ରେସ ରଜନୀ ପାଟିଲ୍‌, ସଚିନ୍ ସାୱନ୍ତ, ମୁଝଫର ହୁସେନ୍ ଓ ଅନିରୁଦ୍ଧ ବନକରଙ୍କ ନାଁ ପଠାଇଥିବା ବେଳେ ଶିବସେନା ଉର୍ମିଳାଙ୍କ ସମେତ ଚନ୍ଦ୍ରକାନ୍ତ ରଘୁବଂଶୀ, ବିଜୟ କରଞ୍ଜକର ଓ ନୀତୀନ ବାନଗୁଡ଼ ପାଟିଲ୍ ନାଁ ପଠାଇଥିଲା । ଉଲ୍ଲେଖ୍ୟଯୋଗ୍ୟ ଯେ ଉର୍ମିଲା ୨୦୧୯ ନିର୍ବାଚନ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ଉତର ମୁମ୍ବାଇରୁ ପ୍ରାର୍ଥୀ କରିଥିଲା । ତେବେ ସେ ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

Spread the love