ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’

ଚେନ୍ନଇ : ତାମିଲନାଡୁ ଓ ପୁଡୁଚେରୀ ନିକଟରେ ବୁଧବାର ରାତିରେ ସ୍ଥଳଭାଗ ଛୁଇଁଛି ଘୁର୍ଣ୍ଣିବାତ୍ୟା ‘ନିଭାର’। ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇଯାଇଥିଲା । ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସହ ପବନର ବେଗ ୧୦୦ରୁ ସର୍ବାଧିକ ୧୨୦ କିଲୋମିଟର କିଲୋମିଟର ଥିଲା। ଏହା ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଫଳରେ ଗୁରୁବାର ଭୋର ସୁଦ୍ଧା ପୁଡୁଚେରୀରେ ପବନର ବେଗ ୬୫ରୁ ୭୫ କିଲୋମିଟର ବେଗକୁ ଖସିଆସିଥିଲା। ମାତ୍ର ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଲମ୍ବିତ ରାତି ଯୋଗୁଁ ପ୍ରଭାବିତ ଅଞ୍ଚଳର ସମ୍ପୂର୍ଣ୍ଣ ଚିତ୍ର ଆସିପାରି ନାହିଁ। କିନ୍ତୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜୀବନଯାତ୍ରା ଠପ୍ ହୋଇଯାଇଛି। ସେହିପରି ଉପକୂଳ ତାମିଲନାଡୁ ଓ ପୁଡୁଚେରୀର ବହୁ ଅଞ୍ଚଳରୁ ୨୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତାମିଲନାଡୁ ଗୁରୁବାର ଦିନକୁ ଛୁଟି ଘୋଷଣା କରିଛି। ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ ବାତ୍ୟା ସମ୍ପର୍କରେ ଟ୍ୱିଟ କରି ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୂଚନା ଦେଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୧୩ଟି ଜିଲ୍ଲାରେ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି । ତେବେ ସମସ୍ତ ଜରୁରୀ ସେବା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୁଡୁଚେରୀ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଶନିବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ‘ନିଭାର’ ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ବୁଧବାର ସଂଧ୍ୟା ୭ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଚେନ୍ନାଇ ଏୟାରପୋର୍ଟ ବନ୍ଦ ରଖାଯାଇଛି । ଏହାପୂର୍ବରୁ ୨୬ଟି ବିମାନର ଚଳାଚଳ ବାତିଲ କରାଯାଇଥିଲା । ଚେନ୍ନାଇର କେତେକ ଅଞ୍ଚଳରେ ବିଜୁଳି କାଟ୍ ହୋଇଛି । ରେଳ ଓ ବସ୍ ସେବା କେତେକ ସ୍ଥାନରେ ବାତିଲ କରାଯାଇଛି । ତଟରକ୍ଷୀ ବାହିନୀର ଦୁଇଟି ଜାହାଜକୁ ଉପକୂଳରେ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦୁଇଟି ଡୋର୍ଣ୍ଣିୟର ବିମାନକୁ ବିଶାଖାପାଟନମ୍ ପଠାଯାଇଛି । ତାମିଲନାଡୁ ଓ ପୁଡୁଚେରୀରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୫ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ଭାରତୀୟ ନୌସେନାର ୫ଟି ଟିମ୍‌ଙ୍କୁ ଚେନ୍ନାଇ ପଠାଯାଇଛି । ନାଗାପଟିନମ୍ ଓ ରାମେଶ୍ୱର ଠାରେ ଏହି ଟିମ୍‌କୁ ମହଜୁଦ ରଖାଯାଇଛି। ଗତ ମଙ୍ଗଳବାର ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଲାଗିରହିଛି । ଏହାଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ କରୁଣାନିଧିଙ୍କ ଘରେ ପାଣି ପଶିଯାଇଛି । ସୂଚନା ଯେ, ବାତ୍ୟା ‘ନିଭାର’ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାପରେ ଧିରେଧିରେ ଦୁର୍ବଳ ହେବ। 

Spread the love