ଲୁଣ ବୋଝେଇ ଏକ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୁଲିସକୁ ଗଞ୍ଜେଇ ଧରପଗଡ଼ରେ ପୁଣି ଥରେ ମିଳିଛି ସଫଳତା। ଅଭିନବ ଢ଼ଙ୍ଗରେ ଲୁଣ ବୋଝେଇ ଏକ ଟ୍ରକରେ ଲମତାପୁଟରୁ ଛତିଶଗଡ଼କୁ ଚାଲାଣ ବେଳେ ସେମିଳିଗୁଡ଼ା ଥାନା ରାଜପୁଟ ଛକ ନିକଟରେ ଏହା ଧରାପଡ଼ିଛି। ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକମାନେ ବିହାର ରାଜ୍ୟ ବକ୍ସର ଜିଲ୍ଲାର ଧିରୋଜ କୁମାର(୨୦) ଓ ଅରବିନ୍ଦ କୁମାର(୧୯) ବୋଲି ସେମିଳିଗୁଡ଼ା ଥାନା ଆଇଆଇସି ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ, ଏକ ୧୦ ଚକିଆ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବା ନେଇ ସେମିଳିଗୁଡ଼ା ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଆଇଆଇସି ଶ୍ରୀ ବେହେରାଙ୍କ ସହିତ ସିଏସଆଇ ପ୍ରଭାତ ଗୌଡ଼, ଏଏସଆଇ ଭରତଚନ୍ଦ୍ର ପଟ୍ଟନାୟକ, ଏସଆଇ ଶରତଚନ୍ଦ୍ର ବିଶୋୟୀ, ହାବିଲଦାର ବନ୍ଥନକୁମାର ବାଘଙ୍କ ସହିତ ପୁଲିସ ଟିମ ସେମିଳିଗୁଡ଼ା ନନ୍ଦପୁର ରୋଡ଼ରେ ଗାଡିମୋର ଯାଞ୍ଚ କରୁଥିଲେ। ସେହି ସମୟରେ ରାଜପୁଟ ଛକ ଦେଇ ଯାଉଥିବା ଏହି ଟ୍ରକ୍‌କୁ ପୁଲିସ ଅଟକାଇଥିଲା। ଯାଞ୍ଚପରେ ଲୁଣପ୍ୟାକେଟ ସହିତ ବିପୁଳ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ମାଫିଆମାନେ ସ୍ୱତନ୍ତ୍ର ପ୍ୟାକେଟରେ ଗଞ୍ଜେଇ ରଖି ତାହା ଉପରେ ଲୁଣ ପ୍ୟାକେଟ ରଖି ଏହାକୁ ଛତିଶଗଡ଼ ନେଉଥିଲେ । ପୁଲିସ ସତର୍କତାର ସହିତ ସେମାନଙ୍କୁ ରାଜପୁଟ ଛକରୁ କାବୁ କରିଥିଲା । ମାଜିଷ୍ଟ୍ରେଟ ଭାବେ ସେମିଳିଗୁଡ଼ା ତହସିଲଦାର ଦେବବ୍ରତ କରାଟିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ସେଥିରୁ ୮୪୧ କେଜି ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ବଜାର ଦର ୮୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ଆଜି ସେମିଳିଗୁଡ଼ା ଥାନା କେସ ନଂ ୧୦୩/୨୦ରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଆଇଆଇସି ଶ୍ରୀ ବେହେରା କହିଛନ୍ତି । ସେମାନଙ୍କ ବେଲ୍‌ ନାମଞ୍ଜୁର ହେବାରୁ କୋରାପୁଟ ଜେଲକୁ ପଠାଇ ଦିଆଯାଇଛି ।

ସୂଚନା ଥାଉକି ନିକଟରେ ସେମିଳିଗୁଡ଼ା ପୁଲିସ ଏକ କମାଣ୍ଡର ଗାଡି ଭିତରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା। ନଦନ୍ଦପୁର ପଟୁ ଏକ କମାଣ୍ଡର ଆସୁଥିବା ବେଳେ ସେମିଳିଗୁଡ଼ା ନିକଟ ବୋଡ଼େଙ୍ଗା ଛକ ନିକଟରେ ପୁଲିସ ଗାଡ଼ିକୁ ପିଛାକରିଥିଲା । ପରେ ଯାଞ୍ଚ କରାଯିବାରୁ ଗାଡିରୁ ୫୦୭ କେଜି ଗଞ୍ଜେଇ ଜବତ କରାଯାଇଥିଲା ।

Spread the love