ଲିଙ୍ଗ ନିରୂପଣ ଅଧିନିୟମର ଜିଲା ଉପଦେଷ୍ଟା କମିଟି ବୈଠକ

ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଗଠିତ ଜିଲା ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ବୈଠକର ବିବରଣୀ ଉପସ୍ଥାପନ କରାଯିବା ସହିତ ସେଥିରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥିସହିତ ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ଲିଙ୍ଗ ନିରୂପଣ ଅଧିନିୟମ ଲାଗୁ କରାଯାଇଛି ତାହାକୁ କିଭଳି ସଫଳ କରାଯାଇପାରିବ ସେ ସମ୍ପର୍କରେ ଉପଦେଷ୍ଟା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳତା ପାଇଁ ଅଲଟ୍ରାସାଉଣ୍ଡ ମେସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ କିଭିଳି ଅଧିକରୁ ଅଧିକ ଗର୍ଭବତୀଙ୍କର ପରୀକ୍ଷଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ତେବେ କୌଣସି କ୍ଷେତ୍ରରେ ଯେପରି ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ କରା ନ ଯାଏ ତାହା ସୁନିଶ୍ଚିତ କରିବାକୁ ଆଇନ୍‌କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ଉପଦେଷ୍ଟା କମିଟିର ସଦସ୍ୟ-ସଦସ୍ୟାମାନେ ଜୋର୍ ଦେଇଥିଲେ । ପ୍ରତି ଅଲଟ୍ରାସାଉଣ୍ଡ କ୍ଲିନିକ ଓ ପରୀକ୍ଷା କେନ୍ଦ୍ରରେ ଲିଙ୍ଗ ନିରୂପଣ ଅଧିନିୟମ ସଂକ୍ରାନ୍ତରେ ପୋଷ୍ଟର ଓ ହୋର୍ଡିଂ ମାଧ୍ୟମରେ ସଚେତନତା ସୃଷ୍ଟି, ଅଲଟ୍ରାସାଉଣ୍ଡ ମେସିନର ପଞ୍ଜୀକରଣ, ନବୀକରଣ ଓ ବିକ୍ରି ପାଇଁ ଆବେଦନ କରିଥିବା କ୍ଲିନିକ ସମ୍ପର୍କରେ ସମୀକ୍ଷା, ନୋଟିସ ପାଇ ମଧ୍ୟ ଯେଉଁ କ୍ଲିନିକ କର୍ତ୍ତୃପକ୍ଷ ତାହାର ଉତର ଦେଇନାହାଁନ୍ତି ଏବଂ ନିୟମରେ ଖିଲାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କର ପଞ୍ଜୀକରଣକୁ ବାତିଲ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା । ନିୟମରେ ଖିଲାପ କରିଥିଲେ ଜୋରିମାନା ସହ କ୍ଲିନିକ କର୍ତୃପକ୍ଷ ତଥା ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ଉପଦେଷ୍ଟା କମିଟିର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଜିଲା ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ ତଥା ଡିଏମଓ ଡା. ମୃତ୍ୟୁଞ୍ଜୟ ମିଶ୍ର, ଭେଷଜ ବିଶେଷଜ୍ଞ ଡା. ସୁଶାନ୍ତ ମହାରଣା, ସମାଜସେବୀ ଡା. ମୀରା ପତି, ଲୀନା ପାଣିଗ୍ରାହୀ, ଡିପିଏମ ଅନୀଲ କୁମାର ମହାନ୍ତି, ଏପିପି ଭବଶଙ୍କର ସାହୁ, ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢୀ, ଡିଏମଆରସିଏଚ ଏଲିନା ସାମଲ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ବେଳେ ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଇସି) ସନ୍ତୋଷ କୁମାର ବେହେରା ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

Spread the love