ରାଜୀବ ହତ୍ୟାକାରୀଙ୍କ ପାରୋଲ ସମୟ ବଢିଲା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅନ୍ୟତମ ଦୋଷୀ ଏ.ଜି.ପେରାରିଭାଲାନଙ୍କ ପାରୋଲ ସମୟକୁ ସୁପ୍ରିମକୋର୍ଟ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ଡାକ୍ତରୀ ପରୀକ୍ଷା ନିମନ୍ତେ ତାଙ୍କର ପାରୋଲ ଆବେଦନକୁ ବୃଦ୍ଧି କରିବାକୁ ପେରାରିଭାଲାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜଷ୍ଟିସ ଏଲ.ନାଗେଶ୍ୱର ରାଓ, ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ପୀଠ ଭିଡିଓ କନ୍‌ଫରେନ୍ସଂ ଜରିଆରେ ଏହାର ଶୁଣାଣି କରି ତାଙ୍କର ପାରୋଲ ସମୟକୁ ଏକ ସପ୍ତାହ ବୃଦ୍ଧି କରିଛନ୍ତି । ଏଥିସହିତ ଡାକ୍ତରଖାନାକୁ ଯିବା ସମୟରେ ପେରାରିଭାଲାନଙ୍କୁ ଆବଶ୍ୟକ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ପେରାରିଭାଲାନଙ୍କୁ ପ୍ରଦତ୍ତ ପାରୋଲ ସମୟ ସୋମବାର ଶେଷ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଉ କିଛି ସମୟ ପାଇବାକୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ଯେ, ୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରାମ୍ବୁଦୁର ସହରରେ ଏକ ନିର୍ବାଚନ ସଭାକୁ ଉଦ୍‌ବୋଧନ ଦେବାକୁ ଯାଉଥିବାବେଳେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହାର ମୁଖ୍ୟ ଅଭିଯୁକ୍ତ ଧନୁଙ୍କ ସମେତ ମୋଟ ୧୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଚାରି ମୁଖ୍ୟ ଅଭିଯୁକ୍ତ ପେରାରିଭାଲାନ, ମୁରୁଗାନ, ସନ୍ଥମ ଓ ନଳିନୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ । ତେବେ ରାଜୀବଙ୍କ ପତ୍ନୀ ସୋନିଆଙ୍କ ଅନୁକମ୍ପା ଫଳରେ ଏହି ଚାରିଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଛି ।

Spread the love