ଯକ୍ଷ୍ମା ଦୂର କରିବାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର : ସମୟ ଥିଲା ଟିବି(ଯକ୍ଷ୍ମା)ରୋଗରେ ଓଡ଼ିଶାରେ ପ୍ରତି ୨୪ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହେଉଥିଲା । ଏବେ କିନ୍ତୁ ସମୟ ବଦଳି ଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଟିବି ରୋଗୀଙ୍କ ଲାଗି ସ୍ୱତନ୍ତ୍ର ଭାବେ ନିଆଯାଇଥିବା ପଦକ୍ଷେପ ପାଇଁ ଓଡ଼ିଶାରେ ଟିବି ରୋଗର ମାତ୍ରା କମିବାରେ ଲାଗିଛି । ଓଡ଼ିଶା ସରକାର ରାଜ୍ୟରେ ଟିବି ରୋଗ ଦୂରକରିବା କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ୨୦୨୦ ଟିବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଟିବି ନିୟନ୍ତ୍ରଣ କରିବାରେ ଭାରତବର୍ଷରେ ଦ୍ୱିତୀୟ ସ୍ଥାନରେ ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଓଡ଼ିଶାର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସୋନପୁର, ଦେବଗଡ଼, ଜଗତସିଂହପୁର ଓ ବୈଦ୍ଧ ଆଦି ଜିଲ୍ଲାରେ ଟିବି ରୋଗ ବହୁ ନିୟନ୍ତ୍ରଣ ଭିତରକୁ ଆସିଛି । କେନ୍ଦ୍ର ସରକାର ୨୦୨୫ ବେଳକୁ ଟିବି ମୁକ୍ତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଟିବି ରୋଗର ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟର ୬ଟି ଯକ୍ଷ୍ମା ପ୍ରଭାବିତ ଜିଲ୍ଲାରେ ଘରୋଇ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଯକ୍ଷ୍ମା ରୋଗୀ ଚିହ୍ନଟ କରି ‘ନିକ୍ଷ’ ପୋର୍ଟାଲରେ ତଥ୍ୟ ଅପଲୋଡ୍‌ ପାଇଁ ‌୧ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଯେହେତୁ କୋଭିଡ୍‌ ପାଇଁ ଅଧିକାଂଶ ଘରୋଇ ଚିକିତ୍ସକ ନିଜର ଚିକିତ୍ସାକୁ ବନ୍ଦ ରଖିଥିଲେ, ତେଣୁ ଆଗାମୀ ଦିନରେ ସେମାନଙ୍କୁ ରୋଗୀଙ୍କ ଚିହ୍ନଟ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଘରୋଇ ଚିକିତ୍ସକଙ୍କ ନିକଟରେ ଚିକିତ୍ସା ହେବାକୁ ଚାହୁଁଥିବା ବ୍ୟକ୍ତି ଚିକିତ୍ସା ହେବାରେ କୌଣସି ସମସ୍ୟା ନାହିଁ, ମାତ୍ର ସେମାନଙ୍କ ତଥ୍ୟ ପ୍ରଦାନ କରିବାକୁ ହେବ। ଯେହେତୁ ସବୁ ଜିଲ୍ଲାରେ ସିବିନାଟ ମେସିନ୍ ରହିଛି ତେଣୁ ୨ଘଣ୍ଟା ଭିତରେ ଜଣେ ବ୍ୟକ୍ତି ଯକ୍ଷ୍ମା କିମ୍ବା ଡ୍ରଗ ରେଜିଷ୍ଟାଣ୍ଟ ଯକ୍ଷ୍ମା ଚିହ୍ନଟ ହୋଇପାରୁଛି। ବିଭିନ୍ନ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଯେ, ୨୦୧୭ରେ ୫୧,୨୧୮, ୨୦୧୮ରେ ୪୭,୬୬୭, ୨୦୧୯ରେ ୫୨୮୩୯ ଓ ଚଳିତବର୍ଷ ଆଜି ପର୍ଯ୍ୟନ୍ତ ୩୯,୪୫୧ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଯେତେ ରୋଗୀ ଚିହ୍ନଟ ହେଉଛନ୍ତି, ତାହାର ପ୍ରାୟ ୫ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଉଛି। ୨୦୧୭ ଓ ୨୦୧୮ରେ ୫ ପ୍ରତିଶତ, ୨୦୧୯ରେ ୬ ପ୍ରତିଶତ ଏବଂ ଚଳିତ ବର୍ଷ ଏଯାଏ ୫ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଛି।

Spread the love