ମେଦଭେଦେଭ୍ ଏଟିପି ଫାଇନାଲ୍ସ ଚାମ୍ପିଅନ୍‌

ଲଣ୍ଡନ : ରୁଷିଆର ଚତୁର୍ଥ ସିଡ୍ ଖେଳାଳି ଡାନିଲ୍ ମେଦଭେଦେଭ୍ ଚଳିତ ଏଟିପି ଫାଇନାଲ୍ସରେ ଚାମ୍ପିଅନ୍ ହୋଇଛନ୍ତି । ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ୨୪ ବର୍ଷୀୟ ମେଦଭେଦେଭ୍ ଅଷ୍ଟ୍ରିଆର ଡାନିଏଲ୍ ଥିମ୍‌ଙ୍କୁ ୪-୬,୭-୬,୬-୪ ସେଟ୍‌ରେ ପରାସ୍ତ କରି ତାଙ୍କ କ୍ୟାରିୟର୍‌ର ସବୁଠାରୁ ବଡ଼ ଟାଇଟଲ୍ ହାତେଇଛନ୍ତି । ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ସେଟ୍‌ରେ ସେ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି ତୃତୀୟ ସିଡ୍ ଖେଳାଳି ଥିମଙ୍କୁ ପରାସ୍ତ କରିଥିଲେ । ଏଥିସହ ମେଦଭେଦେଭ୍ ଗତ ୩୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରଥମ ତିନି ଜଣ ଖେଳାଳିଙ୍କୁ ପରାସ୍ତ କରିବା କ୍ଷେତ୍ରରେ ଏଟିପି ଫାଇନାଲ୍ସରେ ପ୍ରଥମ ଓ ସାମଗ୍ରିକ ଭାବେ ଚତୁର୍ଥ ଖେଳାଳି ହୋଇପାରିଛନ୍ତି । ଏଟିପି ଫାଇନାଲ୍ସରେ ମେଦଭେଦେଭ୍ ଗ୍ରୁପ୍ ପର୍ଯ୍ୟାୟରେ ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍‌ଙ୍କୁ ପରାସ୍ତ କରିଥିଲେ । ଏହାପରେ ସେମିଫାଇନାଲ୍‌ରେ ସେ ଦ୍ୱିତୀୟ ସିଡ୍ ତଥା ସ୍ପେନର ରାଫେଲ୍ ନାଡାଲଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ଟାଇଟଲ୍ ହାସଲ ସ୍ୱପ୍ନକୁ ମଧ୍ୟ ଧୂଳିସାତ୍ କରିଥିଲେ । ରବିବାର ଫାଇନାଲ୍‌ରେ ସେ ଏଟିପି ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ଥିମ୍‌ଙ୍କୁ ପରାସ୍ତ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । କ୍ୟାରିୟର୍‌ର ସବୁଠାରୁ ବଡ଼ ଟାଇଟଲ୍ ଜିତିବା ପରେ ମେଦଭେଦେଭ୍ ତାଙ୍କର ପ୍ରଦର୍ଶନରେ ବେଶ୍ ଖୁସି ବୋଲି କହିବା ସହ ଏବେ ସେ ବିଶ୍ୱର ସବୁଠାରୁ ସୁଖୀ ମଣିଷ ବୋଲି କହିଛନ୍ତି । ଏଥିସହ ସେ କୌଣସି ପ୍ରକାର ବିପର୍ଯ୍ୟୟ ଘଟାଇବା ସକାଶେ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ବୋଲି ଏହି ଟାଇଟଲ୍ ପ୍ରମାଣିତ କରିଥିବା କହିଛନ୍ତି ।

Spread the love