ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣ : ଜଣେ ଯବାନ ଶହୀଦ

ରାୟପୁର : ଛତିଶଗଡ଼ର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ‘ସିଆର୍‌ପିଏଫ୍‌’ କମାଣ୍ଡୋ ବାଟାଲିୟନ୍‌ ଫର୍‌ ରିଜୋଲ୍ୟୁଟ୍‌ ଆକ୍ସନ୍‌ (କୋବ୍ରା) ଉପରକୁ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣ। ଏଥିରେ ବାଟାଲିୟନ୍‌ର ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନାଁ ନୀତୀନ ଭାଲେରାଓ। ଏଥିସହିତ ୧୦ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ ଯବାବନମାନେ ତାଦମେତଲା ଗାଁ ପାଖ ଜଙ୍ଗଲରେ ତଲାସ ଚଳାଇ ଫେରୁଥିଲେ। ସେହି ସମୟରେ ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ। ଏଥିରେ ଆହତ ହୋଇଥିବା ସମସ୍ତ ଯବାନ ୨୦୬ ବାଟାଲିୟନର। ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ସ୍ପାଇକ ହୋଲରେ ଫସି କିଛି ଯବାନ ଆହତ ହୋଇଛନ୍ତି । ଆଉ କିଛି ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ବୁରକାପାଲ, ତେମଲୱାଡା ଓ ଚିନ୍ତାଗୁମ୍ଫାରେ ମିଳିତ ଅପରେସନକୁ ଜୋରଦାର କରାଯାଇଛି । ସୁକମା ଏସପି କେଏଲ୍ ଧ୍ରୁବ ଏହି ହମଲାକୁ ନେଇ କହିଛନ୍ତି ଯେ, ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା। ତେବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତୀନଙ୍କର ରବିବାର ସକାଳେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

Spread the love