ମହାଗଠବନ୍ଧନରେ ଯୋଗ ଦେବାକୁ ନୀତିଶଙ୍କୁ ଆରଜେଡିର ଆମନ୍ତ୍ରଣ

ପାଟନା : ବିହାର ରାଜନୀତି ଏକ ଆଶ୍ଚର୍ଯ୍ୟଜନକ ମୋଡ ନେଲାଭଳି ସ୍ଥିତିରେ ପହଞ୍ôଚଛି । ବିରୋଧୀ ମେଣ୍ଟ ମହାଗଠବନ୍ଧନରେ ସାମିଲ ହେବାକୁ ଆରଜେଡି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କୁ ଆମନ୍ତ୍ରଣ ଜଣାଇ ସମସ୍ତଙ୍କୁ ବିସ୍ମିତ କରିଛି । ଉଲ୍ଲେଖଯୋଗ୍ୟ ମହାଗଠବନ୍ଧନର ଅନ୍ୟ ସହଯୋଗୀ ମାନେ ହେଲେ କଂଗ୍ରେସ ଓ ବାମପନ୍ଥୀ ଦଳ । ଆରଜେଡିର ବରିଷ୍ଠ ନେତା ଅମରନାଥ ଗାମି ନୀତିଶ କୁମାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ବିହାରରେ ଏନ୍‌ଡିଏ ସରକାର ବେଶି ଦିନ ତିଷ୍ଠିବ ନାହିଁ । ନୀତିଶ ମହାଗଠବନ୍ଧନରେ ଯୋଗ ଦିଅନ୍ତୁ ଏବଂ କେନ୍ଦ୍ରରେ ବିଜେପି ବିରୋଧରେ ତୃତୀୟ ସାମୁଖ୍ୟର ନେତୃତ୍ୱ ନିଅନ୍ତୁ । ସେ ଆହୁରି କହିଛନ୍ତି, ଗତ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ଜାଲିଆତି କରିଛି । ବିହାରରେ ଏନ୍‌ଡିଏର ସ୍ଥିତି ଯାହା କେଉଁ ମୁହୂର୍ତ୍ତରେ ସରକାର ଭୁଶୁଡି ପଡିବ ତାହା କହିହେଉ ନାହିଁ । ଏନ୍‌ଡିଏ ସରକାର ପତ୍ତନ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗାମି କହିଛନ୍ତି । ବିହାର ବିଧାନସଭାର ୨୪୩ ଆସନରୁ ଏନ୍‌ଡିଏ ୧୨୬ ଆସନ ହାସଲ କରିଛି । ଏଥିରେ ବିଜେପି ୭୪, ଜେଡିୟୁ ୪୩, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ୪, ବିକାଶଶୀଳ ଇନ୍‌ସାନ୍ ପାର୍ଟି ୪ ଆସନ ପାଇଛନ୍ତି । ଜଣେ ସ୍ୱାଧୀନ ବିଧାୟକ ଏନ୍‌ଡିଏ ସରକାରକୁ ସମର୍ଥନ କରୁଛନ୍ତି । ଅପରପକ୍ଷରେ ମହାଗଠବନ୍ଧନ ୧୧୦ ଆସନ ଅକ୍ତିଆର କରିଛି । ଏଥିରେ ଆରଜେଡି ୭୫, କଂଗ୍ରେସ ୧୯ ଓ ବାମପନ୍ଥୀ ଦଳ ୧୬ ଆସନ ପାଇଛନ୍ତି ।

Spread the love