ମସ୍କୋରେ ରାଜନାଥ; ବିଜୟ ଦିବସ ପ୍ୟାରେଡରେ ଯୋଗଦେବେ

ମସ୍କୋ : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୩ଦିନିଆ ରୁଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୁଷ୍‍ ମେଜର ଜେନେରାଲ କୋଶେଙ୍କୋ ବାସିଲି ଆଲେକଜାଣ୍ଡ୍ରୋବିଚ୍‍ ଓ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ବି. ଭେଙ୍କଟେଶ ବର୍ମା ଶ୍ରୀ ସିଂହଙ୍କୁ ପାଛୋଟି ନେଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ସିଂହ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ଭାଗିଦାରୀ ସମ୍ପର୍କ ବୃଦ୍ଧି ଉପରେ କଥାବର୍ତ୍ତା କରିବେ। ସେ ମସ୍କୋରେ ୭୫ତମ ବିଜୟ ଦିବସ ପ୍ୟାରେଡରେ ଯୋଗଦେବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍‍ବିଜୟୀ ହେବାର ୭୫ତମ ବାର୍ଷିକୀ ଏବେ ସେହି ଦେଶରେ ପାଳିତ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍‍ ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକର ବୀରତ୍ୱ ଏବଂ ବଳିଦାନର ସ୍ମୃତିରେ ବିଜୟ ପ୍ୟାରେଡର ଆୟୋଜନ କରାଯାଇଛି। ରୁଷ୍‍ ପ୍ରତିରକ୍ଷାମନ୍ତ୍ରୀ ସର୍ଗେ ଶୋଇଗୁ ଶ୍ରୀ ସିଂହଙ୍କୁ ଏହି ପରେଡ ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଏହି ପ୍ୟାରେଡ ଗତମାସ ୯ ତାରିଖରେ ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ୭୫ ସଦସ୍ୟ ବିଶିଷ୍ଟ ଭାରତୀୟ ସାମରିକ ବାହିନୀର ଏକ କଣ୍ଟିଜେଣ୍ଟ ମସ୍କୋରେ ଯାଇ ପହଂଚିଛି। ଏହି କଣ୍ଟିଜେଣ୍ଟ ବିଜୟ ପ୍ୟାରେଡରେ ଅଂଶଗ୍ରହଣ କରିବେ। ଏହାର ନେତୃତ୍ୱ ଶିଖ୍‍ ଲାଇଟ୍‍ ଇନଫାଂଟ୍ରି ରେଜିମେଣ୍ଟର ଜଣେ ମେଜର ପାହ୍ୟାର ଅଫିସର ନେବେ। ଏହି ବାହିନୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୀରତ୍ୱର ସହ ଲଢ଼ିଥିଲା ଓ ୪ଟି ଯୁଦ୍ଧ ସମ୍ମାନ ଓ ୨ଟି ସାମରିକ କ୍ରସ୍‍ ଲାଭ କରିଥିଲା।

 
Spread the love

Leave a Reply

Your email address will not be published. Required fields are marked *