ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ, ଜଣେ ଅଟକ

ଭୁବନେଶ୍ୱର : ବିମାନ ଯୋଗେ ସୁନା ଚୋରା ଚାଲାଣ କିଛି ମାସ ହେଲା ବନ୍ଦ ଥିଲା। ଲକ୍‌ଡାଉନ୍‌ ପରେ ପ୍ରଥମଥର ପାଇଁ ଚୋରାରେ ସୁନା ବିସ୍କୁଟ୍‌ ନେଉଥିବା ଜଣେ ଯାତ୍ରୀ ଧରାପଡିଛନ୍ତି । ଯାତ୍ରୀ ଜଣକ ହେଉଛନ୍ତି ଏ ଜୈନୁଲାଦ୍ଦିନ୍‌। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସୁନା ବିସ୍କୁଟ ଚେନ୍ନାଇ ନେଉଥିବା ବେଳେ କଷ୍ଟମ ଅଫିସର ତାଙ୍କୁ କାବୁ କରିଛନ୍ତି । ତାଙ୍କଠାରୁ ପ୍ରାୟ ୪୦୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି।

ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦର (ବିପିଆଇଏ)ରେ ଶୁକ୍ରବାର ସାଢ଼େ ୩ଟାରେ ଜୈନୁଲାଦ୍ଦିନ୍‌ ନୂଆ ଟର୍ମିନାଲ ଦେଇ ଭିତରକୁ ପଶିଥିଲେ। ସନ୍ଧ୍ୟା ୬ଟା ୧୦ରେ ଫ୍ଲାଇଟ୍‌ ନମ୍ବର ୬ଇ-୨୦୯ ବିମାନରେ ସେ ଚେନ୍ନାଇ ଯାଇଥାନ୍ତେ। ରନ୍‌ୱେକୁ ପ୍ରବେଶ ପୂର୍ବରୁ ଏୟାରପୋର୍ଟ ସିକ୍ୟୁରିଟି ଗେଟ୍‌ର ବୁଥ୍‌ ନମ୍ବର ୩ରେ ତାଙ୍କର ଚେକିଂ କରାଯାଇଥିଲା। ଚେକିଂ ଦାୟିତ୍ୱରେ ଥିବା ଏସ୍‌ଆଇ ଏଚ୍‌.ଏସ୍‌. ପ୍ରସାଦ ତାଙ୍କର ଶରୀର ସହ ଲଗେଜ୍‌ ଯାଞ୍ଚ କରିଥିଲେ। ଚେକିଂ ବେଳେ ଯାତ୍ରୀଜଣକ ଆଦୌ ପାଟି ଖୋଲିନଥିଲେ। କି ସୁରକ୍ଷାକର୍ମୀଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ। ଏହା ଦେଖି ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା। କଷ୍ଟମ ବିଭାଗର ସବ୍‌ଇନ୍ସପେକ୍ଟର ବି. ଏସ୍‌ ନାୟକ ଓ କେ. କେ ଦୁବେ ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ପାଟିରେ ସେ ୨ ଖଣ୍ଡ ସୁନା ବିସ୍କୁଟ ରଖିଥିବା ଜଣାପଡ଼ିଥିଲା । ସେଗୁଡ଼ିକୁ ବାହାର କରିବା ପରେ ଅନ୍ୟ ୨ଟି ସୁନା ବିସ୍କୁଟ ତାଙ୍କ ମଳଦ୍ୱାରରେ ରଖିଥିବା ଜୈନୁଲିଦ୍ଦିନ୍‌ ମାନିଥିଲେ। ସମସ୍ତ ସୁନା ବିସ୍କୁଟ୍‌କୁ କଷ୍ଟମ ବିଭାଗ ଜବତ କରିଛି। ସୁନା ଚାଲାଣ ସମ୍ପର୍କରେ ଜୈନୁଲିଦ୍ଦିନ୍‌ଙ୍କୁ ପଚରାଉଚରା ଚାଲିଛି। ରାଜଧାନୀର ଏକ ପ୍ରତିଷ୍ଠିତ ସୁନା ଅଳଙ୍କାର ଜୁଏଲର୍ସ ମାଲିକଙ୍କ ଠାରୁ ଏହା କିଣାଯାଇଥିବା କଷ୍ଟମ ବିଭାଗ ସନ୍ଦେହ କରୁଛି ।

Spread the love