ଭାରତ ଓ ଚୀନ ବିବାଦରେ ମଧ୍ୟସ୍ଥତା କରିବନି ରୁଷ୍‌

ମସ୍କୋ/ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ ବାହ୍ୟ ଶକ୍ତିର ସହଯୋଗ ଆବଶ୍ୟକ ନାହିଁ। ବିଶେଷକରି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ପାଇଁ ଭାରତ କିମ୍ବା ଚୀନ କେହି ତୃତୀୟ ପକ୍ଷର ସହଯୋଗ ଲୋଡ଼ିବା ଆବଶ୍ୟକ ମନେ କରନ୍ତି ନାହିଁ। ସେମାନେ ନିଜ ମଧ୍ୟରେ ବିବାଦ ସମାଧାନ ପାଇଁ ସକ୍ଷମ। ସାମ୍ପ୍ରତିକ ବିବାଦର ସମାଧାନ ମଧ୍ୟ ସେମାନେ କରିପାରିବେ। ଏଭଳି ମତ ରଖିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ।

ରୁଷ୍‌, ଭାରତ, ଚୀନ (ଆରଆଇସି) ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପରେ ସର୍ଗେଇ ଏହା କହିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ଚୀନ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଭାରତ ଓ ଚୀନ ମଧ୍ୟରେ ​ବଡ଼ଧରଣର ବିବାଦ ହେଲେ ରୁଷ୍‌ ନିରପେକ୍ଷତା ଅବଲମ୍ବନ କରିବ ବୋଲି ଏହି ବିବୃତି ମାଧ୍ୟମରେ ସର୍ଗେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏହି ତ୍ରିପାକ୍ଷୀୟ ସମ୍ମିଳନୀ ପାଇଁ ଭାରତ ପ୍ରଥମରୁ ରାଜି ହେଉ ନ ଥିଲେ ମଧ୍ୟ ରୁଷ୍‌ର ନିବେଦନକ୍ରମେ ସମ୍ମତି ପ୍ରକାଶ କରିଥିଲା। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ। ବୈଠକରେ ଗଲୱାନ ବିବାଦ ପ୍ରତ୍ୟକ୍ଷ ସ୍ଥାନ ପାଇ ନ ଥିଲେ ମଧ୍ୟ ଜୟଶଙ୍କର ଆନ୍ତର୍ଜାତିକ ଆଇନକୁ ବିଶ୍ବର ସମସ୍ତ ରାଷ୍ଟ୍ର ସମ୍ମାନ ଦେବା ଉଚିତ ବୋଲି ମତ ରଖିଥିଲେ। କୌଣସି ରାଷ୍ଟ୍ରର ନାମ ନ ​‌ନେଇ ସେ କହିଥିଲେ ଯେ ଏହାଦ୍ବାରା ବିଶ୍ବ ବ୍ୟବସ୍ଥା ସୁସଂହତ ହୋଇପାରିବ। ଚୀନ୍‌ ସହିତ ୧୯୬୨ ଯୁଦ୍ଧ ପୂର୍ବରୁ ରୁଷ୍‌-ଭାରତ ସାମରିକ ସମ୍ପର୍କ ଦୃଢ଼ ରହିଆସିଛି। ଏହି ଯୁଦ୍ଧ ସମୟରେ ରୁଷ ନିରପେକ୍ଷତା ଅବଲମ୍ବନ କରିଥିବାରୁ ଏବେ ମଧ୍ୟ ସମାନ ନୀତି ବଳବତ୍ତର ରଖିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *