ବ୍ୟାପୁଛି ‘ପରୀ’ ନିଆଁ

  • ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭା ଅଚଳ

  • ଆବଶ୍ୟକ ହେଲେ ଏସଆଇଟି ଯାଂଚ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପରୀ ଘଟଣାକୁ ନେଇ ଆଜି ବିଧାନସଭାରେ ପୁନର୍ବାର ତୃତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା । ଆଜିର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମୁଲତବୀ ପ୍ରସ୍ତାବ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇନ ଥିଲା । ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ ଦାବି ଆଲୋଚନା ବୈଠକ ଆରମ୍ଭରୁ ହେବାର ଥିଲେ ହେଁ ତାହା ମଧ୍ୟ ହୋଇ ପାରି ନ ଥିଲା । ଗୃହର ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଓ ଚେୟାର ମ୍ୟାନ ପାଂଚ ଥର ଗୃହକୁ ମୁଲତବୀ ରଖିଥିଲେ । ଗୃହର ବୈଠକ ୧୦.୩୦ରେ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପରୋକ୍ଷ ସଂପୃକ୍ତି ଥିବା ନେଇ ତାଙ୍କୁ ବହିଷ୍କାର ଓ ତଦନ୍ତ ଦାବି କରି ହୋହାଲ୍ଲା କରିଥିଲେ । ଏଥିରୁ ନିବୃତ ରହିବାକୁ ଉଭୟ ବାଚସ୍ପତି ଓ ଚେୟାରମ୍ୟାନ ଅନୁରୋଧ କରିଥିଲେ ହେଁ ଏଥିରୁ କୌଣସି ଲାଭ ମିଳି ନ ଥିଲା । ଗୃହ କିପରି ସୁରୁଖୁରୁରେ ଚାଲିପାରିବ ସେଥି ନେଇ ବାଚସ୍ପତି ତାଙ୍କ ଚ୍ୟାମ୍ବରରେ ଏକ ସର୍ବ ଦଳୀୟ ବୈଠକ ଡାକିଥିଲେ । ଏଥିରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକଦଳର ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ . ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକ, ବିଧାୟକ ଲକ୍ଷ୍‌ମଣ ମୁଣ୍ଡାଙ୍କୁ ଆମନ୍ତ୍ରଣ କରିଥିଲେ ।
ବୈଠକ ପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଗୃହର କାର୍ଯ୍ୟ ଆରମ୍ଭକରିବା ମାତ୍ରେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳକୁ ଦୋହରାଇବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବାଚସ୍ପତି ଏଥିରୁ ନିବୃତ ରହି ଗୃହର କାର୍ଯ୍ୟରେ ସହଯୋଗ ଦେବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ । ବିେରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ପରୀର ବାପା –ମା ତିନି –ଚାରି ମାସ ତଳେ ଥାନାରେ କେସ ଦେଇଥିଲେ । ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ । ବରଂ ସେମାନଙ୍କୁ ଧମକ ଚମକ ଦିଆଗଲା । କୌଣସି ଠାରୁ ସେମାନେ ନ୍ୟାୟ ନ ପାଇ ସେମାନେ ବିଧାନସଭା ସାମନାରେ ଆତ୍ମଦାହ ପାଇଁ ପ୍ରୟାସ କରିଥିଲେ । ଏହା ଠାରୁ ଅଧିକ କଣ ଦୁଃଖ ଥାଇପାରେ । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରା ଯାଉ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ପରୀ ଘଟଣା ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଛି । ମନ୍ତ୍ରୀଙ୍କ ଇସ୍ତଫା ସବୁ ଆଡେ ଦାବି କରା ଯାଉଛି । ମନ୍ତ୍ରୀଙ୍କୁ ଘଂଟ ଘୋଡାଉଛନ୍ତି । ଖୋଦ ବାଚସ୍ପତି ଯେଉଁ ଚାରୋଟି ନିର୍ଦିଷ୍ଟ ବିନ୍ଦୁ ଉପରେ ଉତର ରଖିବାକୁ କହିଥିଲେ ହେଁ ମନ୍ତ୍ରୀ ଏହା କରି ନ ଥିଲେ । ଏହା ବାଚସ୍ପତିଙ୍କ ନିର୍ଦେଶକୁ ଉଲ୍ଲଂଘନ । ଯଦି ବାଚସ୍ପତିଙ୍କ ନିର୍ଦେଶକୁ ଉଲ୍ଲଂଘନ କରା ଯାଏ ତେବେ ଆମେ କାହାକୁ କହିବୁ ବୋଲି ସେ ପ୍ରଶ୍ନ କରିଥିିଲେ । ମନ୍ତ୍ରୀ ଉତର ଦେଲେ ନାହିଁ ତେଣୁ ବାଚସ୍ପତି ମଧ୍ୟ ଉତରଦାୟୀ ହେବା ଦରକାର ବୋଲି କହିଥିଲେ । ମନ୍ତ୍ରୀଙ୍କ ନିରପେକ୍ଷ ତଦନ୍ତ ପାଇଁ ଆମେ ଏସଆଇଟି ଦାବି କରିଥିଲୁ । ପ୍ରଥମେ ଆପଣ କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଲେ । ଆମେ ହାଇକୋର୍ଟ ଜଜଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି କରୁଛୁ । ଶାସକ ଦଳର ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ କୋବିଡ ଭିତରେ ବିଧାନସଭା ଚାଲିଛି । ଆଜି ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପରିଚାଳନାଧୀନ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ ଦାବି ଉପରେ ଆଲୋଚନା ହେବାର ଅଛି । ବିରୋଧୀଦଳର ସଦସ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣକରି ଉକ୍ତ ଘଟଣା ସମ୍ପର୍କରେ ମତାମତ ରଖି ପାରିବେ । ତାହା ନ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ବିରୋଧୀ ଦଳର ଆଲୋଚନା କରିବା ପାଇଁ ଆନ୍ତରିକତା ନାହିଁ । ପରେ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବାଚସ୍ପତିଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏହା ଉପରେ ବକ୍ତବ୍ୟ ରଖିବେ । ତେଣୁ ଶୃଙ୍ଖଳା ବଜାୟ ରଖା ଯାଉ । ବାଚସ୍ପତି କହିଥିଲେ ଯେ ଆଜି ଗୁରୁତ୍ୱପୂର୍ଣ ବିଭାଗର ଖର୍ଚଦାବି ରହିଛି । ଆପଣ ମାନେ ନିଜ ଆସନକୁ ଯାଆନ୍ତୁ । ମୁଖ୍ୟମନ୍ତ୍ରୀ ଦାବି ଉପରେ କିଛି ମନ୍ତବ୍ୟ ରଖିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କହିଥିଲେ ଯେ ପରୀ ଘଟଣା ତାଙ୍କୁ ମର୍ମାହତ କରିଛିା ଏହି ଘଟଣା ଉପରେ କ୍ରାଇମ ବ୍ରାଂଚ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ଦଳ ଯେଉଁ ଦାବି କରିଛନ୍ତି ସେ ଦାବି ଅନୁଯାୟୀ ଯଦି ଆବଶ୍ୟକ ହୁଏ ତେବେ ଏହି ମାମଲାର ଏସଆଇଟି ଜାଂଚ କରା ଯିବ । ତାଙ୍କ ସରକାର ଆଇନକୁ ସମ୍ମାନ ଦିଏ । ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ବିରୋଧୀ ଦଳର ସଦସ୍ୟ ମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ । ବିଜେପି ବିଧାୟକ ମାନେ କହିଥିଲେ ଯେ ମନ୍ତ୍ରୀଙ୍କୁ ବହିଷ୍କାର କରା ଯାଉ ଓ ସିବିଆଇ ଜାଂଚ କରା ଯାଉ । ଅପରାହ୍ନ ୩ଟାରେ ଗୃହର ଦ୍ୱିତୀୟାର୍ଧ ବୈଠକ ଆରମ୍ଭ ହୋଇଥିଲା । ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ଗଲା ବେଳେ ବିଜେପି ଦଳର ସଦସ୍ୟ ମାନେ ନିଜ ଦାବିରେ ଅଟଳ ରହି ଗୃହ ଭିତରେ ନାରାବାଜୀ କରିବା ସହ କାଗଜ ଚିରି ପୋଡିୟମ ଉପରକୁ ଫିଙ୍ଗିବାର ଦେଖା ଦେଇଥିଲା । ଏହା ବ୍ୟତୀତ ମନ୍ତ୍ରୀମଣ୍ଡଳରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରା ଯାଉ ବୋଲି ଦାବି କରି ଥିଲେ । ବାଚସ୍ପତି ବାରମ୍ବାର ନିଜ ଆସନରୁ ଠିଆ ହୋଇ ସଂପୃକ୍ତ ବିଧାୟକ ମାନଙ୍କୁ ନିବେଦନ କରିବା ସହ ସିଟକୁ ଯାଇ ଗୃହ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ କହିଥିଲେ । କଂଗ୍ରେସ ସଭ୍ୟ ମାନେ ଗୃହରେ ଅନୁପସ୍ଥିତ ଥିବାର ଦେଖା ଯାଇଥିଲା । ବାଚସ୍ପତି କହିଥିଲେ ଯେ ବିରୋଧୀ ଦଳର ଦାବିକୁ ମୁଖ୍ୟମନ୍ତ୍ରୀ ବିଚାରକୁ ନେଇଥିବା ବେଳେ ବଜେଟ ଖର୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରିବାକୁ ସେ ଅନୁରୋଧକରିଥିଲେ । ହେଲେ ସେମାନେ ଶୁଣି ନ ଥିଲେ । ଆପଣ ମାନଙ୍କୁ କିଏ ଇଂଜେକ୍ଟ କରୁଛି ଯେ ଆପଣ ମାନେ ହଲ୍ଲା ଗୁଲ୍ଲା କରୁଛନ୍ତି । ବାଚସ୍ପତିଙ୍କ ମନ୍ତବ୍ୟରେ ବିଜେପିି ସଭ୍ୟ ମାନେ ଅନବରତ ଭାବେ ସରକାର ବିରୋଧୀ ସ୍ଲୋଗାନ ଦେଉଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୩.୦୬ରୁ ୩.୨୧ ଯାଏ ମୁଲତବୀ ରଖିଥିଲେ । ପରିସ୍ଥିତି ଅଣାୟତ ହେବାରୁ ୩.୨୩ରୁ ଆସନ୍ତା କାଲି ୧୦.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଆଜିର କାର୍ଯ୍ୟସୂଚୀରେ ସାମିଲ ଥିବା ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସ୍ୱରଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ ଦାବି ଆସନ୍ତା କାଲି ୨୮ ତାରିଖ ଦିନ ଗିଲୋଟିନ ଦ୍ୱାରା ଗୃହୀତ ହେବ ବୋଲି ବାଚସ୍ପତି ଘୋଷଣା କରି କହିଥିଲେ ।

Spread the love