ବ୍ୟକ୍ତିଗତ ସମ୍ପର୍କ ଓ ପସନ୍ଦରେ ହସ୍ତକ୍ଷେପ କରାଯାଇପାରିବ ନାହିଁ : ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ଉତ୍ତରପ୍ରଦେଶର କୁଶିନଗରର ଜଣେ ବାସିନ୍ଦା ସଲାମତ୍ ଅନ୍‌ସାରୀ ପ୍ରିୟଙ୍କା ଖରୱାରଙ୍କୁ ୨୦୧୯ ଅଗଷ୍ଟରେ ବିବାହ କରିଥିଲେ । ଦୁହେଁ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ପ୍ରିୟଙ୍କାଙ୍କ ବାପା ଏହାକୁ ବିରୋଧ କରି ସଲାମତ୍‌ଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ତେବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରି କହିଛନ୍ତି, ବ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ହସ୍ତକ୍ଷେପ କରାଗଲେ ତାହା ଦୁଇଜଣଙ୍କ ପସନ୍ଦ ଅଧିକାରରେ ବାଧା ସୃଷ୍ଟି କରିବ । ଲଭ୍ ଜିହାଦ୍ ନେଇ ଏବେ ବିତର୍କ ଚାଲିଥିଲା ବେଳେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଫଇସଲା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ମନେ କରାଯାଉଛି ।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଆମେ ପ୍ରିୟଙ୍କା ଖରୱାର ଓ ସଲାମତ୍ ଅନ୍‌ସାରୀଙ୍କୁ ହିନ୍ଦୁ ଓ ମୁସ୍‌ଲିମ୍ ଦୃଷ୍ଟିରେ ଦେଖୁନାହୁଁ । ବରଂ ଦୁହେଁ ସାବାଳକ ହୋଇଥିବାରୁ ସେମାନେ ନିଜ ଇଛା ଓ ପସନ୍ଦରେ ବିବାହ କରି ବର୍ଷେରୁ ଉର୍ଦ୍ଧ୍ୱ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ର ରହିଲେଣି । ସମ୍ବିଧାନର ୨୧ ଧାରାରେ ଜଣେ ନାଗରିକର ବ୍ୟକ୍ତି ସ୍ୱାଧୀନତା ସୁନିଶ୍ଚିତ କରାଯାଇଛି । ଉଲ୍ଲେଖଯୋଗ୍ୟ ପ୍ରିୟଙ୍କା ସଲାମତ୍‌ଙ୍କୁ ବିବାହ କରିବା ଲାଗି ଧର୍ମ ପରିବର୍ତ୍ତନ କରିବା ସହ ନାମ ପରିବର୍ତ୍ତନ କରିଥିଲେ । ସେ ପ୍ରିୟଙ୍କାରୁ ଏବେ ଆଲିଆ ନାମ ଧାରଣ କରିଛନ୍ତି । ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଲଭ୍ ଜିହାଦ ରୋକିବା ପାଇଁ ସମ୍ପୃକ୍ତ ସରକାର ଆଇନ ପ୍ରଣୟନ କରିବାକୁ ଯୋଜନା କରିବା ପରିପ୍ରେକ୍ଷୀରେ ଆହ୍ଲାବାଦ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତେବେ ଏହି ରାୟ ଅନୁରୂପ ଦୁଇଟି ମାମଲାରେ କୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି । ପୂର୍ବରୁ ଦୁଇଟି ରାୟରେ ବିବାହ କରିବା ଆଳରେ ଧର୍ମ ପରିବର୍ତ୍ତନ ଆଇନତଃ ବୈଧ ନୁହେଁ ବୋଲି କୋର୍ଟ ଦର୍ଶାଇଥିଲେ ।

Spread the love