ବିନା ଭକ୍ତରେ ହେବ ନାଗାର୍ଜ୍ଜୁନ ବେଶ

ପୁରୀ : କୋଭିଡ୍ କଟକଣା ଯୋଗୁଁ ଭିଡ କମାଇବାପାଇଁ ଆଗାମି ୨୭ତାରିଖରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ହେବ । ତେବେ ଏହାକୁ ଭକ୍ତମାନେ ଦେଖିପାରିବେ ନାହିଁ । ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ଘଟଣା ହେବାକୁ ଯାଉଛି । ୨୫ବର୍ଷ ବ୍ୟବଧାନରେ ଚଳିତବର୍ଷ ଡିସେମ୍ବର ୨୭ତାରିଖରେ ପଡୁଛି ନାଗାର୍ଜ୍ଜୁନ ବେଶ ତିଥି । ଆଜି ଛତିଶା ନିଜଗର ବୈଠକରେ ଏହା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ତେବେ ମଦଳା ପାଞ୍ଜି, ଶ୍ରୀମନ୍ଦିରର ସ୍ୱତଲିପି ଏବଂ ପରମ୍ପରାରେ ଏହି ବେଶ ସମ୍ପର୍କରେ କୌଣସି ଲିଖିତ ପ୍ରମାଣ ନାହିଁ । ତେଣୁ ରତ୍ନ ସିଂହାସନରେ ତିନିଠାକୁରଙ୍କ ଦୁଲ୍ଲର୍ଭ ବେଶ ହେବ । ହେଲେ ଭକ୍ତମାନେ ଏହି ବେଶକୁ ଦେଖି ପାରିବେ ନାହିଁ । ରାତି ୨ଟାରେ ଶ୍ରୀମନ୍ଦିର କବାଟ ଖୋଲାଯିବ ଏବଂ ୨.୩୦ମିନିଟ୍ ସୁଦ୍ଧା ବେଶପାଇଁ ଥିବା ସାଜ ସଂରଞ୍ଜାମ ମନ୍ଦିର ଭିତରକୁ ଆସିବ । ତେବେ କୌଣସି ବ୍ୟକ୍ତି ଛଦ୍ମ ବେଶରେ ସେବାୟତ କହି ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ । ଏହାସହିତ ମନ୍ଦିର ଭିତରକୁ ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି ବୋଲି ବୈଠକ ସେଶରେ ଛତିଶା ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love