ବରଗଡ଼ରେ ୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ : ବରଗଡ଼ ଜିଲାରେ ରବିବାର ପୁଣି ୧୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗ୍ରାମର ସର୍ବାଧିକ ୧୫ଜଣ ରହିଥିବା ବେଳେ ପଦ୍ମପୁର ପୌରାଞ୍ଚଳର ୨ଜଣ ଏବଂ ଅମ୍ବାଭୋନା ବ୍ଲକର ଜଣେ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ତେବେ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଘଟଣା ଏଠାରେ ଚିନ୍ତା ବଢ଼ାଇ ଦେଇଛି। ଗତ ୧୬ ତାରିଖରେ ଏହି ଗ୍ରାମରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହାପରେ କେବଳ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୮ରେ ପହଞ୍ଚି ଥିବାବେଳେ କଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ୩ଜଣ ସ୍ବାସ୍ଥ୍ୟ କର୍ମଚାରୀ ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ଗ୍ରାମର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ପଡ଼ୋଶୀ ଗ୍ରାମ କମଗାଁର ଆଉ ୨ଜଣ ଏଥିରେ ଆକ୍ରାନ୍ତ ଥିଲେ ବୋଲି ସୂଚନା ଦିଆଯାଇଥିଲା। ଗତ ୧୬ ତାରିଖରୁ କଟାପାଲି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷିତ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *