ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ବିପର୍ଯ୍ୟୟ ଜନିତ ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ହେଉଛି ଦୀର୍ଘକାଳୀନ ମୁକାବିଲା ଯେଉଁଥି ପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ।ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ବ୍ୟବସ୍ଥା ପାଳନ କରିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ପୂର୍ବ ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି। ସେ କହିଛନ୍ତି ଯେ ଗତ ୩ ମାସ ଧରି କରୋନା ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି। ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଓ ପୂର୍ବରୁ ଏଭଳି ପରିସ୍ଥିତିର ସାମ୍ନା କରିଥିବାରୁ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ ଅଛୁ। ସେ ଫନି, ବୁଲବୁଲ ଓ ଅମ୍ଫନ ଭଳି ବାତ୍ୟା ମୁକାବିଲା ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଜନସାଧାରଣଙ୍କ ସହଯୋଗରେ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବାରେ ରାଜ୍ୟ ସଫଳତା ପାଇଛି ଏବଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ସାହାଯ୍ୟ ଯୋଗାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *