ପ୍ରଥମ ଦିନିକିଆ : ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ସିଡ୍‌ନୀ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। ଏହା ପୂର୍ବରୁ ପଡ଼ିଥିବା ଟସ ଜିତି ଅଷ୍ଟ୍ରେଲିଆର ଭାରତ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ମହାମାରୀ କରୋନା ସମୟରେ ନୂଆ ଜର୍ସି ଏବଂ ନୂଆ ମାହୋଲ ସହ ଆରମ୍ଭ ହେବ ଏହି ଦ୍ୱିପାକ୍ଷିକ ସିରିଜ୍ । ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ । ସୋନିର ସ୍ପୋର୍ଟସ ଚ୍ୟାନେଲ୍ ସୋନି ସିକ୍ସ, ସୋନି ଟେନ୍୧, ସୋନି ଟେନ୍୩ରେ ମ୍ୟାଚର ସିଧା ପ୍ରସାରଣ ହେବ। ୟୁଏଇରେ ଆଇପିଏଲ-୧୩ ତମ ସଂସ୍କରଣ ସଫଳତାର ସହ ଶେଷ ପରେ ଭାରତୀୟ କ୍ରିକେଟରମାନେ ଏହାର ପ୍ରଥମ ସିରିଜ୍ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ସମୟ ମଧ୍ୟରେ ଭାରତ ପ୍ରଥମେ ଦିନିକିଆ, ତାପରେ ଟି -୨୦ ଏବଂ ଶେଷରେ ଟେଷ୍ଟ ସିରିଜ୍ ଖେଳିବ। ତେବେ ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିବ । କାରଣ ନିକଟରେ ଖେଳାଯାଇଥିବା ଆଇପିଏଲରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳୀ ଭଲ ପ୍ରଦର୍ଶନ କରିଥିଲେ । ଆଉ ସମସ୍ତଙ୍କର ଭଲ ଫର୍ମ ରହିଥିବାରୁ କାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ।ସୂଚନା ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ସୁଦ୍ଧା ୧୨ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ୧୯୮୪ରୁ ୨୦୨୦ ମଧ୍ୟରେ ଖେଳା ଯାଇଥିବା ମୋଟ ୧୨ଟି ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଅର୍ଥାତ୍ ଉଭୟ ଦଳ ୬ଟି ଲେଖାଏଁ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌କୁ ବାଣ୍ଟି ନେଇଛନ୍ତି। ୧୯୮୪ରେ ଭାରତମାଟିରେ ଖେଳା ଯାଇଥିବା ପ୍ରଥମ ଦ୍ୱିପାକ୍ଷିକ ସିରିଜ୍‌ରେ ୫ଟି ଦିନିକିଆ ଥିବା ବେଳେ ଅଷ୍ଟ୍ରେଲିଆ ଏହାକୁ ୩-୦ରେ ଜିତିଥିଲା ଏବଂ ୨ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଶେଷଥର ୨୦୨୦ରେ ଉଭୟ ଦଳ ଭାରତରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିଥିଲେ। ଭାରତ ଏହାକୁ ୨-୧ରେ ଜିତି ନେଇଥିଲା। ଭାରତ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ୧୦ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ୫ଟି ଲେଖାଏଁ ସିରିଜ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମାତ୍ର ୨ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ସିରିଜ୍ ଜିତିଛନ୍ତି। ମ୍ୟାଚ୍‌ ଫଳାଫଳରେ ଅଷ୍ଟ୍ରେଲିଆ ଆଗରେ ରହିଛି। ୧୯୮୦ରୁ ଅଦ୍ୟାବଧି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୧୪୦ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୭୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୫୨ଟି ମ୍ୟାଚ୍‌ ଜିତିଛି। ୧୦ଟି ମ୍ୟାଚ୍ ବିନା ଫଳାଫଳରେ ସମାପ୍ତ ହୋଇଛି। ଭାରତ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୬୪ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୨୯ଟି ଓ ଅଷ୍ଟ୍ରେଲିଆ ୩୦ଟି ମ୍ୟାଚ୍ ଜିତିଛନ୍ତି। ୫ଟି ମ୍ୟାଚ୍‌ରୁ ଫଳାଫଳ ବାହାରିନାହିଁ। ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୫୧ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଘରୋଇ ଅଷ୍ଟ୍ରେଲିଆ ୩୬ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୧୩ଟି ମ୍ୟାଚ୍ ଜିତିଛି। ୨ ଟି ମ୍ୟାଚ୍‌ରୁ ଫଳାଫଳ ବାହାରିନାହିଁ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ (ୱିକେଟ୍ ରକ୍ଷକ), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା, ନଭଦୀପ ସଇନି, ସାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ୍, କୁଲଦୀପ ଯାଦବ, ଶୁଭମାନ ଗିଲ ।

ଅଷ୍ଟ୍ରେଲିଆ ଦଳ : ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍ନସ ଲାବୁସାଗ୍ନେ, ମାର୍କସ ଷ୍ଟଏନିସ, ଆଲେକ୍ସ କ୍ୟାରି (ୱିକେଟ୍ ରକ୍ଷକ), ପାଟ୍ କ୍ୟୁମିନ୍ସ, ମିଚେଲ୍ ଷ୍ଟାର୍କ, ଆଦାମ୍ ଜାମ୍ପା, ଜୋସ୍ ହେଜେଲଉଡ୍, ଆସଟୋନ ଆଗର, ମୋଏସେସ ହେନରିସ୍କ, ମାଥ୍ୟୁ ୱାଡେ, ସିନ୍ ଆବଟ୍, ଆଣ୍ଡ୍ରୁ ଟାଏ, କ୍ୟାମେରନ୍ ଗ୍ରୀନ୍, ଡାନିଏଲ୍ ସାମ୍ସ ।

Spread the love