ପୁରୀ ହାଜତ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲା; ରମେଶଙ୍କ ପରିବାରକୁ ସହାୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପୁରୀ ହାଜତ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମୃତକ କେ. ରମେଶଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ରାଜ୍ୟ ସରାକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ମହମ୍ମଦ୍ ରଫିକ୍ ଓ ବିଚାରପତି ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଆଦେଶ ଦେଇଛନ୍ତି । ଏହାବ୍ୟତୀତ ମୃତକଙ୍କ ପରିବାର ସମ୍ପର୍କରେ ତଥ୍ୟ ଦେବାକୁ ହାଇକୋର୍ଟ କହିଛନ୍ତି । ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରମେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତକକୁ ଗିରଫ ପୂର୍ବରୁ ତାଙ୍କ ପରିବାର ସଦସ୍ୟକୁ ଅବଗତ କରାଯାଇଥିଲା କି ନାହିିଁ ସେ ସମ୍ପର୍କରେ ତଥ୍ୟ ଓ ତାଙ୍କ ବିରୋଧରେ ଥିବା ମାମଲା ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାକୁ କହିଥିଲେ । ତଦନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଛି ଯେ ମୃତକ କେ. ରମେଶଙ୍କ ନାମରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଅନୁଗୁଳ ଆଦି ଜିଲ୍ଲାରେ ୬ଟି ଅପରାଧିକ ମାମଲା ରହିଥିଲା । ତାଙ୍କୁ ପୁଲିସ ଧରିବାକୁ ଯାଉଥିବାବେଳେ ପୁଲିସ ସହିତ ଧସ୍ତାଧସ୍ତି ବେଳେ ରମେଶ ପଥର ରାସ୍ତା ଉପରେ ପଡ଼ିଯାଇ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ମେଡିକାଲ୍ ନେବା ପରେ ସେ ମୃତ ବୋଲି ଜଣା ପଡ଼ିଥିଲା । ତେବେ ରମେଶଙ୍କର ମୃତ୍ୟୁ ପରେ ତାଙ୍କ ପିତାଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି ।
ସୂଚନା ଯେ, ଏକ ଅପରାଧ ମାମଲାରେ ପୁରୀ ବାସେଳିସାହି ପୁଲିସ କେ. ରମେଶଙ୍କୁ ଗିରଫ କରି ଥାନାକୁ ନେଇଥିଲା । ତେବେ ଥାନାରେ ପୁଲିସ୍ ହେପାଜରେ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସର ମାତ୍ରାଧିକ ନିର୍ଯାତନା କାରଣରୁ ରମେଶଙ୍କର ମୃତ୍ୟୁ ହୋଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ । ମୃତ୍ୟୁ ପରେ ତାଙ୍କର ପରିବାରକୁ ନ ଜଣାଇ ଶବ ସତ୍କାର କରିବା ମଧ୍ୟ ବେଆଇନ କାର୍ଯ୍ୟ ବୋଲି ସେ ଦର୍ଶାଇଥିଲେ । ସେହିପରି ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଥାନା ଠାରୁ ମାତ୍ର ଦୁଇ କିମି ଦୂରରେ ଏସଡିଜେଏମ୍ କୋର୍ଟ ଥିବାଥିବା ବେଳେ ରମେଶଙ୍କୁ କୋର୍ଟ ଚାଲାଣ ନ କରି ବିନା କାରଣରେ ତାଙ୍କୁ ଥାନାରେ କ’ଣ ପାଇଁ ଅଟକ ରଖାଯାଇଥିଲା । ଏଥିସହିତ କେଉଁ ପରିସ୍ଥିତିରେ ରମେଶଙ୍କ ମୃତ୍ୟୁ ହୋଇଥିଲା ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଆବେଦନକାରୀ କହିଥିଲେ । ପୁଲିସ୍ ହାଜତରେ ଗିରଫ ଅଭିଯୁକ୍ତଙ୍କୁ ନିର୍ଯାତନା ଦେବା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଏବଂ ଜାତୀୟ ମାନବାଧିକାର ଆୟୂକ୍ତ ମଧ୍ୟ ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଏଥିରେ ପୁଲିସ ହେପାଜତରେ ଗିରଫ ଅଭିଯୁକ୍ତଙ୍କୁ ନିର୍ଯାତନା ଦେବାକୁ ନିଷିଦ୍ଧ କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ପୁଲିସ୍ ଜାଣି ଶୁଣି କେ. ରମେଶକୁ ଗିରଫ କରିବା ପରେ ତାକୁ ହାଜତରେ ରଖି ଅତ୍ୟଧିକ ନିର୍ଯାତନା ଦେବା ବେଆଇନ ଅଟେ । ଏପରି କାର୍ଯ୍ୟରେ ସପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନରେ କୁହାଯାଇଛି । ସେହିପରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଆବେଦନ କରାଯାଇଛି । ରୁଜୁ ମାମଲାରେ ଆବେଦନକାରୀ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ପୁରୀ ଏସ୍‌ପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ହାଇକୋର୍ଟରେ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।

Spread the love